‘କରୋନା’: ଚୀନରୁ ଫେରିଥିବା ୨ ଓଡ଼ିଆଙ୍କୁ ହୋମ୍ ଆଇସୋଲେସନରେ ରଖାଗଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ନଭେଲ୍ କରୋନା ଭୂତାଣୁ ସଂକ୍ରମଣ, ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ସଚିବ ରାଜୀବ ଗୱା ଓ ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ବିଭାଗର ସଚିବଙ୍କ ସହ ଭିଡିଓ କନ୍ଫରେନ୍ସଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ରାଜ୍ୟର କରୋନା ଭୂତାଣୁ ସଂକ୍ରମଣ, ନିୟନ୍ତ୍ରଣ ଓ ପ୍ରତିରୋଧ ସମ୍ପର୍କିତ ପ୍ରସ୍ତୁତି ଓ ଚିକିତ୍ସା ବ୍ୟବସ୍ଥା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଧଳ କହିଛନ୍ତି ଯେ ଚୀନର ଉହାନ୍ ଅଞ୍ଚଳରୁ ଯେଉଁମାନେ ଓଡ଼ିଶାକୁ ଫେରୁଛନ୍ତି ସେମାନଙ୍କଠାରେ ସଂକ୍ରମଣ ଲକ୍ଷଣ ଦେଖାଗଲେ ସେମାନଙ୍କୁ ଆଇସୋଲେସନରେ ରଖାଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସହ ସ୍ୱାବ୍ର ନମୁନା ପରୀକ୍ଷା ପାଇଁ ପଠାଯିବ। ଅନ୍ୟ ପକ୍ଷରେ ଚୀନରୁ ଫେରୁଥିବା ଲୋକଙ୍କଠାରେ ସଂକ୍ରମଣ ଲକ୍ଷଣ ଦେଖାଗଲେ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଘରୋଇ ପରିବେଶରେ ଆଇସୋଲେସନରେ ସତର୍କ ନଜରରେ ରଖାଯିବ। ସ୍ୱାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଦଳ ସେମାନଙ୍କ ଘରକୁ ଯାଇ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବେ।

ଏଠାରେ ସୂଚନାଯୋଗ୍ୟ ଯେ ଚୀନରୁ ଦୁଇଜଣ ଓଡ଼ିଶା ଫେରିଥିବାବେଳେ ସେମାନଙ୍କୁ ସ୍କ୍ରିନିଂ ପରେ କାଉନସେଲିଂ କରାଯାଇ ୧୪ ଦିନ ପାଇଁ ହୋମ୍ ଆଇସୋଲେସନରେ ରଖାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ୍ ନିୟମିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ। ସଂକ୍ରମଣର ଲକ୍ଷଣ ଦେଖାଗଲେ ସେମାନଙ୍କୁ କ୍ୟାପିଟାଲ୍ ହସପିଟାଲର ଆଇସୋଲେସନ୍ ୱାର୍ଡରେ ରଖି ଚିକିତ୍ସା କରାଯିବ। ଏହି ଭିଡିଓ କନ୍ଫରେନ୍ସିଂରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରି·ଳନା ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ, ଓଡ଼ିଶା ରାଜ୍ୟ ଔଷଧ ନିଗମର ପରି·ଳନା ନିର୍ଦ୍ଦେଶକ ଯାମିନୀ ଷଡ଼ଙ୍ଗୀ, ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ କୁମାର ମହାନ୍ତି ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।