ବିଧାନସଭାରେ ଉପସ୍ଥାପନ ହେଲା କାମଚଳା ବଜେଟ, ସ୍ୱାସ୍ଥ୍ୟ ଓ କୃଷିକୁ ଗୁରୁତ୍ୱ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ ଉପସ୍ଥାପନ କରି ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ରୁଷିଆ-ୟୁକ୍ରେନ ଯୁଦ୍ଧ ବିଶ୍ଵ ଅର୍ଥ ନୀତିକୁ ପ୍ରଭାବିତ କରିଛି। କରୋନା ପରେ ବିଶ୍ଵ ଯୁଦ୍ଧମୁହାଁ ଏମିତି ପ୍ରତିକୂଳ ସ୍ଥିତିରେ ମଧ୍ୟ ରାଜ୍ୟର ଅଭିବୃଦ୍ଧି ହାର ବଢିବାର ସମ୍ଭାବନା ରହିଛି। ଏଥି ମଧ୍ୟରେ ଅଭିବୃଦ୍ଧି ହାର ଭଲ ରହିଥିବା ମନ୍ତ୍ରୀ କହିଛନ୍ତି। ଏଥି ସହିତ ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି। ଏହି ବଜେଟ୍ ବିଗତ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ୧୭.୬% ଅଧିକ ରହିଛି।

କାମଚଳା ବଜେଟ୍‌ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇଛି। କୃଷି ଓ ଆନୁସଙ୍ଗିକ କାର୍ଯ୍ୟକ୍ରମ ମାଧ୍ୟମରେ ଖାଦ୍ୟ ଉତ୍ପାଦନ, ଚାଷୀଙ୍କ ରୋଜଗାର ଓ କୃଷକ କଲ୍ୟାଣ ପାଇଁ ୨୦ ହଜାର ୩୪୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଚାଷୀଙ୍କର ସାମଗ୍ରିକ କଲ୍ୟାଣ ନିମନ୍ତେ “କାଳିଆ’ ଯୋଜନାରେ ୧୮୭୪ କୋଟି ବଙ୍କାର ବ୍ୟୟ ବରାଦ କରାଯାଇଅଛି। ସାର ଓ ବିହନ ପାଇଁ ସୁଧମୁକ୍ତ ଋଣ ବାବଦକୁ ୩୦୦ କୋଟି ଟଙ୍କା, ଶସ୍ୟ ଉତ୍ପାଦନ ପରିଚାଳନା ବାବଦକୁ ୬୮୮ କୋଟି ଟଙ୍କା, ଉଦ୍ୟାନ କୃଷି ବିକାଶ ଯୋଜନା ଅଧୀନରେ ୧୫୭ କୋଟି ଟଙ୍କା, ଓଡ଼ିିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଗବେଷଣା ଓ ଶିକ୍ଷା ନିମନ୍ତେ ୧୬୧ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ପଶୁସମ୍ପଦର ସ୍ୱାସ୍ଥ୍ୟ ଏବଂ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ୨୭୩ କୋଟି ଟଙ୍କା ଏବଂ ସଘନ ଓ ଆଭ୍ୟନ୍ତରୀଣ ମତ୍ସ୍ୟଚାଷର ବିକାଶ ନିମନ୍ତେ ୧୮୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି । କୃଷକଙ୍କୁ ସୁଧ ରିହାତି ବାବଦକୁ ୯୦୭ କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧିନରେ ପ୍ରିମିୟମ ସବ୍‌ସିଡି ବାବଦକୁ ୬୦୦ କୋଟି ଟଙ୍କା ଏବଂ ସମବାୟ ବ୍ୟାଙ୍କଙ୍କୁ ଅଂଶଧନ ସହାୟତା ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।

ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ, ସାମଗ୍ରିକ ଭାବେ ସ୍ୱାସ୍ଥ୍ୟକ୍ଷେତ୍ରରେ ଖର୍ଚ୍ଚ ନିମନ୍ତେ ୧୨,୨୪୧ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଜଳ ଯୋଗାଣ ପାଇଁ ବସୁଧା ଯୋଜନା ଅଧୀନରେ ୨,୨୫୫ କୋଟି ଟଙ୍କା, ମିଶନଶକ୍ତି ପାଇଁ ୨ ହଜାର କୋଟି ଟଙ୍କା, ଜଳସେଚନ କ୍ଷେତ୍ରରେ ବିଭିନ୍ନ ଯୋଜନା ପାଇଁ ମୋଟ୍ ୮,୫୨୩ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଥିଲାବେଳେ ବନ୍ୟା ନିୟନ୍ତ୍ରଣ ଓ ଜଳ ନିଷ୍କାସନ କାର୍ଯ୍ୟ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ‘

ସେହିପରି ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ୨୬,୪୯୨ କୋଟି ଟଙ୍କା, ନିରାପତ୍ତା ରକ୍ଷା, ଅପରାଧ ନିୟନ୍ତ୍ରଣ, ଅଗ୍ନି ବିପର୍ଯ୍ୟୟ ପରିଚାଳନା ପାଇଁ ୮,୯୬୦ କୋଟି ଟଙ୍କା, ଜଙ୍ଗଲ ତଥା ପରିବେଶ ସୁରକ୍ଷା ପାଇଁ ୨,୧୯୩ କୋଟି ଟଙ୍କା, ଓଡ଼ିଶା ପର୍ଯ୍ୟଟନ ପାଇଁ ୫୯୫ କୋଟି ଟଙ୍କା, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ମୋଟ୍ ୩,୨୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।