ଅଲିମ୍ପିକ୍ ହକି କ୍ୱାଲିଫାୟର୍ସ ଲାଗି ଭାରତୀୟ ଦଳ ଘୋଷିତ : ବୀରେନ୍ଦ୍ର ବାଦ୍, ୪ ଓଡ଼ିଆ ସାମିଲ

ଭୁବନେଶ୍ୱର, ଏନ୍ଏନ୍ଏସ୍: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ରେ ନଭେମ୍ବର ୧ ଓ ୨ରେ ଟୋକିଓ ଅଲିମ୍ପିକ୍ସ ହକି କ୍ୱାଲିଫାୟର୍ସ ମୁକାବିଲା ଅନୁଷ୍ଠିତ ହେବ। ଏହି ମୁକାବିଲା ଲାଗି ଶୁକ୍ରବାର ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରାଯାଇଛି। ରାନୀ ରାମପାଲ ମହିଳା ଏବଂ ମନପ୍ରୀତ ସିଂ ପୁରୁଷ ଦଳର ନେତୃତ୍ୱ ନେବେ। ଘୋଷିତ ମହିଳା ଦଳରେ ୩ ଓଡ଼ିଆ ଖେଳାଳି ଯଥା ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜଙ୍କୁ ସାମିଲ କରାଯାଇଛି। ୩ଜଣଯାକ ଖେଳାଳି ଏଠାରେ ଚାଲିଥିବା କ୍ୟାମ୍ପରେ ସାମିଲ ଥିଲେ। ପୁରୁଷ ଦଳରେ ଜଣେ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ସ୍ଥାନ ମିଳିଛି। ୨୨ ଜଣିଆ କ୍ୟାମ୍ପରେ ସାମିଲ ଥିବା ଅଭିଜ୍ଞ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ବାଦ୍ ଦିଆଯାଇଛି। ବେଲଜିୟମ ଏବଂ ସ୍ପେନ୍ ବିପକ୍ଷେରେ ଖେଳିଥିବା ବୀରେନ୍ଦ୍ରଙ୍କ ପ୍ରଦର୍ଶନ କୋଚ୍ ଗ୍ରାହାମ ରିଡଙ୍କୁ ଆକୃଷ୍ଟ କରିପାରି ନାହିଁ। ଫଳରେ ତାଙ୍କ ରୁଷିଆ ବିପକ୍ଷ ଅଲିମ୍ପିକ୍ କ୍ୱାଲିଫାୟର୍ସ ଲାଗି ଦଳରେ ନିଆଯାଇନାହିଁ ବୋଲି କୋଚ୍ ରିଡ୍ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ରିଡଙ୍କ ମତରେ ଦଳରେ ୧୮ଜଣ ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରାଯିବ। ବୀରେନ୍ଦ୍ରଙ୍କ ଅପେକ୍ଷା ଉନ୍ନତ ଖେଳ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦଳରେ ନିଆଯାଇଛି ବୋଲି ସେ କହିଛନ୍ତି। ଏହା ଫଳରେ କ୍ରମାଗତ ଦ୍ୱିତୀୟଥର ଲାଗି ବୀରେନ୍ଦ୍ର ଅଲିମ୍ପିକ୍ସ ଖେଳିବାକୁ ବଞ୍ôଚତ ହେବାକୁ ଯାଉଛନ୍ତି। ଅବଶ୍ୟ ଅଲିମ୍ପିକସ ପୂର୍ବରୁ ଭାରତ ଅନେକ ଟୁର୍ଣ୍ଣାମେଣ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ସ୍ଥାନ ନମିଳିଲେ ମଧ୍ୟ ଅଲିମ୍ପିକ୍ସ ଲାଗି ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବାର ସୁଯୋଗ ରହିଛି। ଟୋକିଓ ଅଲିମ୍ପିକ୍ସ ଦଳରେ ସ୍ଥାନ ନପାଇଲେ ବୀରେନ୍ଦ୍ରଙ୍କ ଅନ୍ତର୍ଜାତୀୟ କ୍ୟାରିୟର ସଙ୍କଟରେ ପଡିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହିଳା ଦଳର କୋଚ୍ ଜୋଏର୍ଡ ମାରିନ୍ ଓ ଅଧିନାୟିକା ରାନୀ ରାମପାଲ, ପୁରୁଷ ଦଳର କୋଚ୍ ଗ୍ରାହମ ରିଡ୍ ଓ ଅଧିନାୟକ ମନ୍ପ୍ରୀତ ସିଂ ଦଳ ଘୋଷଣା କରିଥିଲେ।

ଟୋକିଓ ଅଲିମ୍ପିକ୍ସ ହକି ଆସନ୍ତାବର୍ଷ ଜୁଲାଇ ୨୫ରୁ ଆରମ୍ଭ ହୋଇ ଅଗଷ୍ଟ ୭ରେ ଶେଷ ହେବ। ଏଥିରେ ୧୨ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ଏହା ମଧ୍ୟରୁ ୫ଟି ଲେଖାଏଁ ଦଳ ଘୋଷିତ ହୋଇସାରିଥିଲାବେଳେ ଅଲିମ୍ପିକ୍ ହକି କ୍ୱାଲିଫାୟର୍ସରେ ଆଉ କେଉଁ ୭ଟି ଦଳ ଯୋଗ୍ୟତା ଅର୍ଜନ କରିବେ ତାହା ନଭେମ୍ବର ୨ରେ ସ୍ଥିର ହେବ।

ମହିଳା ଦଳ: ସବିତା (ଉପଅଧିନାୟିକା), ରଜନୀ ଏଟିମାରାପୁ, ଦୀପ୍ଗ୍ରେସ୍ ଏକ୍କା, ଗୁରଜିତ କୌର୍, ରୀନର ଖୋକର, ସଲିମା ଟେଟେ, ସୁଶୀଳା ଚାନୁ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ୍, ନମିତା ଟପ୍ପୋ, ରାନୀ ରାମପାଲ (ଅଧିନାୟିକା), ବନ୍ଦନା କଟରିଆ, ନଭନୀତ କୌର, ଲାଲରେମସିଆମି, ନଭଜ୍ୟୋତ୍ କୌର ଓ ଶର୍ମିଳା ଦେବୀ। କୋଚ୍-ଜୋଏର୍ଡ ମାରିନ୍।

ପୁରୁଷ ଦଳ: ପିଆର ଶ୍ରୀଜେଶ, କ୍ରିଷନ ବାହାଦୁର ପାଠକ, ହରମନ୍ପ୍ରୀତ୍ ସିଂ, ବରୁଣ କୁମାର, ସୁରେନ୍ଦର କୁମାର, ରୂପିନ୍ଦରପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ୍, ମନ୍ପ୍ରୀତ୍ ସିଂ (ଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦ୍ଦିକ ସିଂ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ଏସ୍ଭି ସୁନୀଲ (ଉପ ଅଧିନାୟକ), ମନ୍ଦୀପ ସିଂ, ଆକାଶଦୀପ ସିଂ, ରମଣଦୀପ୍ ସିଂ ଓ ସିମରନଜିତ୍ ସିଂ। କୋଚ୍-ଗ୍ରାହମ ରିଡ୍।