୧୦୦ରୁ ୭୦ ଥାଲାସେମିଆ ଶିଶୁଙ୍କ ଦେହରେ ଏଚଆଇଭି ଭୂତାଣୁ !

ବାଲେଶ୍ୱର,ଏନଏନଏସ୍: ଶହେ ଥାଲାସେମିଆ ଆକ୍ରାନ୍ତ ଶିଶୁଙ୍କ ମଧ୍ୟରୁ ୭୦ ଜଣଙ୍କ ଦେହରେ ଏଚଆଭି ପଜେଟିଭ ଦେଖିବାକୁ ମିଳିଛି। ଏହା ବିଶ୍ୱାସ ନହେଲେ ବି ସତ୍ୟ। ଏଭଳି ଏକ ସାଂଘାତିକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ମେଡିକାଲରେ। ବାପ କିମ୍ବା ମା’ କେହି ଏଚଆଇଭି ସଂକ୍ରମିତ ହୋଇନଥିଲା ବେଳେ ଶିଶୁଙ୍କ ଦେହକୁ ଏହି ଭୟାନକ ଭୂତାଣୁ କିପରି ଆସିଲା ତାହା ଏବେ ନାନା ସନ୍ଦେହକୁ ଜନ୍ମ ଦେଇଛି। ଏ କ୍ଷେତ୍ରରେ ବାଲେଶ୍ୱର ମେଡିକାଲ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ପ୍ରତି ମଧ୍ୟ ଅଙ୍ଗୁଳି ଉଠିଛି।

ବାଲେଶ୍ୱରସ୍ଥିତ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲ ନାମରେ ଆସିଛି ସାଂଘାତିକ ଅଭିଯୋଗ। ଅଭିଯୋଗ ହେଉଛି, ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଥାଲାସେମିଆ ଶିଶୁଙ୍କ ଦେହରେ ଏଚଆଇଭି ଭୂତାଣୁ ପ୍ରବେଶ କରିଛି। ଜିଲ୍ଲାରେ ଥିବା ୯୬୭ ଜଣ ପଞ୍ଜିକୃତ ଥାଲାସେମିଆ ରୋଗୀ ଜିଲ୍ଲା ଚିକିତ୍ସାଳୟରୁ ନିୟମିତ ରକ୍ତ ନେବା ପାଇଁ ଆସିଥା’ନ୍ତି। ସେମାନେ ଗୁରୁବାର, ଶନିବାର ଓ ସେମାବାର ଏହି ତିନି ଦିନରେ ହିଁ ରକ୍ତ ନେଇ ଥାଆନ୍ତି। ରକ୍ତ ନେବା ସମୟରେ ଭେନ ବ୍ଲକେଜ ନହେବା ପାଇଁ ମିନେରାଲ ୱାଟର ବ୍ୟବହାର କରାଯାଇଥାଏ। ହେଲେ ଗୋଟିଏ ବୋତଲ ପାଣିରେ ଏକାଧିକ ସିରିଞ୍ଜ ବ୍ୟବହାର କରାଯାଉଥିବାରୁ ଏବେ ବହୁ ପିଲାମାନଙ୍କ ଦେହରେ ଏହି ଏଚଆଇଭି ଭୂତାଣୁ ପଜେଟିଭ ଥିବା ଅନୁମାନ କରାଯାଉଛି। ଜଣେ ଥାଲାସେମିଆ ରୋଗୀଙ୍କ ପାଇଁ ଗୋଟିଏ ଛୋଟ ମିନେରାଲ ୱାଟର ବୋତଲ ଓ ଗୋଟିଏ ସିରିଞ୍ଜ ବ୍ୟବହାର କରାଯିବାର ନିୟମ ରହିଛି।

ଏତଦବ୍ୟତୀତ ଥାଲାସେମିଆ ରୋଗୀଙ୍କୁ ଫ୍ରେସ ରକ୍ତ ଦେବା ପରିବେର୍ତ୍ତେ ତାଙ୍କୁ ୨ରୁ ୩ଦିନ ତଳର ରକ୍ତ ପ୍ରଦାନ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। ହେଲେ ମେଡିକାଲ କର୍ତ୍ତୃପକ୍ଷ ଏହି ନିୟମକୁ ଅବଜ୍ଞା କରି ଗୋଟିଏ ବଡ଼ ମିନେରାଲ ୱାଟର ବୋତଲରେ ଏକାଧିକ ରୋଗୀଙ୍କ ପାଇଁ ବ୍ୟବହାର ହେଉଥିବା ସିରିଞ୍ଜକୁ ଲଗାଇ ପାଣି ନେଉଥିବା ଅଭିଯୋଗ ହୋଇଛି। ଏହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛି ଆମ ହାତରେ ଲାଗିଥିବା ଏକ ରୋଗୀଙ୍କ ରିପୋର୍ଟ। ଏହି ରିପୋର୍ଟ ଅନୁସାରେ ଏକ ବର୍ଷ ପୂର୍ବରୁ ଜଣେ୧୨ ବର୍ଷର ଥାଲାସେମିଆ ଶିଶୁ ଦେହରେ ଏଚଆଇଭି ଭୂତାଣୁ ନଥିଲା। ବର୍ତ୍ତମାନ ଏହି ଶିଶୁଟି ଦେହରେ ଏଚଆଇଭି ଭୂତାଣୁ ଥିବା ସ୍ପଷ୍ଟ ହୋଇଛି। ଏଭଳି ପ୍ରାୟ ୭୦ ଜଣ ରୋଗୀଙ୍କ ଦେହରେ ଏଚଆଇଭି ଭୂତାଣୁ ଦେଖିବାକୁ ମିଳିଛି, ଯାହା ୨ ରୁ ୩ବର୍ଷ ମଧ୍ୟରେ ସଂକ୍ରମିତ କରିଥିବା ଜଣାପଡ଼ିଛି। ସବୁଠାରୁ ବଡ଼ କଥା ହେଲା ଏହି ଶିଶିୁମାନଙ୍କର ବାପା କିମ୍ବା ମା’ଙ୍କଠାରେ ଏହି ଭୁତାଣୁ ଦେଖିବାକୁ ମିଳିନାହିଁ ବୋଲି ରୋଗୀଙ୍କ ଅଭିଭାବକମାନେ କହିଛନ୍ତି। ଅନ୍ୟପଟେ ମେଡିକାଲର ଶିଶୁ ଭବନରେ ଥାଲାସେମିଆ ରୋଗୀଙ୍କ ପାଇଁ ରହିଥିବା ୱାର୍ଡରେ ଏକ ମିନେରାଲ ୱାଟର ବୋତଲରେ ଏକାଧିକ ସିରିଞ୍ଜ ଲାଗି ରହିଥିବା

ଦେଖିବାକୁ ମିଳିଛି। ଯାହାକୁ ନେଇ ମେଡିକାଲରେ ରୋଗୀଙ୍କ ଚିକିତ୍ସା କେଉଁଭଳି ଭାବେ ଉନ୍ନତମାନର ତାହା ସ୍ପଷ୍ଟ ଜଣାପଡ଼ୁଛି। ଏହି ଘଟଣାକୁ ନେଇ ବିଭିନ୍ନ ସ୍ୱେଛାସେବୀ ସଂଗଠନ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ମେଡିକାଲ ସୁପରିନ୍ଟେଣ୍ଡେଣ୍ଟଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ୱେ ଖାମଖିଆଲି ଭାବେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଗୋଟିଏ ବୋତଲ ପାଣିରେ ଏକାଧିକ ସିରିଞ୍ଜ ବ୍ୟବହାର କରୁଛନ୍ତି। ଏହାଛଡା ଶହେ ଜଣ ରୋଗୀଙ୍କ ମଧ୍ୟରୁ ୭୦ଜଣ ରୋଗୀଙ୍କଠାରେ ଏଚଆଇଭି ପଜେଟିଭ ଥିବା ଘଟଣା ବାସ୍ତିବିକ ଦୁର୍ଭାଗ୍ୟ ଜନକ। ଏହି ଶିଶୁମାନଙ୍କ ଭାଗ୍ୟ ସହ ଖେଳ ଖେଳୁଥିବା ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱେଚ୍ଛାସେବା ସଙ୍ଗଠନର କର୍ମକର୍ତ୍ତା ବିସ୍ମିତ ଦାସ ଦାବି କରିଛନ୍ତି।

ଏହି ସମ୍ବେଦନଶିଳ ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବାନାର୍ଜି ପ୍ରସାଦ ଛୋଟରାୟଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣା ସମ୍ପର୍କରେ ସେ କିଛି ଜାଣି ନଥିବା କହିଛନ୍ତି। ଯଦି ମେଡିକାଲରେ ଏଭଳି କରାଯାଉଛି ତେବେ ତାହା ଦ୍ୱାରା ଏଚଆଇଭି ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସ୍ୱୀକାର କରିବା ସହ ତୁରନ୍ତ ତଦନ୍ତ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ତୁରନ୍ତ ଏକ ଟିମ ଗଠନ କରି ଏହାର ତଦନ୍ତ କରିବେ। ତଦନ୍ତରେ ସତ୍ୟାସତ୍ୟ ବାହାରିଲେ ତୁରୁନ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଛୋଟରାୟ କହିଛନ୍ତି।