ରାଜଧାନୀରେ ଯୁବକଙ୍କୁ ପିଟିପିଟି ମାରିଦେଲେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଲୋକର ପର୍ବ ଦିପାବଳୀକୁ ନେଇ ସାରାରାଜ୍ୟ ଉତ୍ସବମୁଖର ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଏକ ହତ୍ୟାକାଣ୍ଡ ଘଟିଛି। ବାଣ ଫୁଟାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ପିଟିପିଟି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ସୁନ୍ଦରପଦା ବିଡିଏ ଅଂଚଳର ଅମରେଶ ନାୟକ। ପୁଲିସ ଶବ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଏହି ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ପୂର୍ବତନ କର୍ପୋରେଟର ମଂଟୁ ଓରଫ ଦେବୀ ନନ୍ଦକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।


ଅଭିଯୋଗ ଅନୁସାରେ, ଦୀପାବଳୀ ଅବସରରେ ଅମରେଶ ଓ ସହଯୋଗୀ ଚନ୍ଦନ, ପୁଟୁଲ ଆଦି ଏକାମ୍ର କଲେଜ ନିକଟରେ ଭୋଜି କରୁଥିଲେ। ଭୋଜି ବେଳେ ସେଠାରେ ବାଣ ଫୁଟାଇଥିଲେ। ଏହାକ ସୁନ୍ଦରପଦାର ଜଣେ ଯୁବକ ବାରଣ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକ ଜଣକ ସେଠାରୁ ପଳାଇଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ୬୭ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଦେବୀ ନନ୍ଦଙ୍କ ସହ ୨୦ରୁ ଅଧିକ ଯୁବକ ସେଠାରେ ପହଂଚି ଅମରେଶ ଓ ତାଙ୍କ ସହଯୋଗୀକୁ ଅତର୍କିତ ଆକ୍ରମଣ କରିଥିଲେ।

ହକିଷ୍ଟିକ, ଲୁହାଛଡ ଓ ଠେଙ୍ଗାରେ ଗୋଡାଇ ଗୋଡାଇ ପିଟିଥିଲେ। ଜୀବନ ବଂଚାଇବାକୁ ଦୌଡି ପଳାଇଯାଉଥିବା ବେଳେ ଦୁର୍ବୃତମାନେ ଅମରେଶକୁ ଗୋଡାଇ ଗୋଡାଇ ପ୍ରାୟ ୧କିଲୋମିଟର ପର୍ଯ୍ୟନ୍ତ ପିଟିଥିଲେ। ଏପରିକି ଘନଘନ ବୋମା ମାଡ କରିଥିଲେ। ଫଳରେ ସେ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ। ପରେ ଦୁର୍ବୃତମାନେ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୁଲିସ ଓ ଅମରେଶଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ପୂର୍ବତନ କର୍ପୋରେଟରଙ୍କ ସହ ଏକାଧିକ ଲୋକଙ୍କୁ ହେପାଜତକୁ ନେଇ ପଚାରାଉଚରା କରୁଛି।
ଅନ୍ୟପଟେ ପୁଲିସ ଓ ସାଇଂଟିଫିକ ଟିମ ଘଟଣାର ଛାନିଭିନ କରୁଛି। ଘଟଣାସ୍ଥଳ ଓ ଆଖପାଖ ଅଂଚଳରୁ ପୁଲିସ ୫ଟି ଅଫୁଟା ବୋମା ଜବତ କରିଛି। ତେବେ କିଏ ଓ କଣ ପାଇଁ ସେଠାରେ ବୋମା ରଖିଛି, ତାହାର ମଧ୍ୟ ତଦନ୍ତ କରାଯାଉଛି।

ଅପରପକ୍ଷରେ ପୁଲିସ କର୍ପୋରେଟର ମଂଟୁ ନନ୍ଦ ଓ ତାଙ୍କ ସହଯୋଗୀଙ୍କୁ ଅଟକ ଘଟଣାକୁ ବିରୋଧ କରି ଲୋକେ ଥାନା ଘେରାଉ କରିଥିଲେ। ତୁରନ୍ତ ପୂର୍ବତନ କର୍ପୋରେଟରଙ୍କୁ ତୁରନ୍ତ ଛାଡିବା ଓ ହତ୍ୟାକାରୀକୁ ଗିରଫ ଦାବି କରି ଲୋକେ ହୋହହ୍ଲା କରିଥିଲେ। ଫଳରେ ସେଠାରେ ଉତେଜନା ପ୍ରକାଶ ପାଇଛି। ପୁଲିସ ସେମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛି। ତେବେ ଦୀପାବଳୀ ପାଇଁ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସହରସାରା ପୁଲିସ ପାଟ୍ରୋଲିଂ ମଧ୍ୟ କରାଯାଉଥିଲା। ଏସବୁ ସ୍ଥିତିରେ ଏକ ହତ୍ୟାକାଣ୍ଡ ଘଟିବା ଓ ପୁଲିସ ଘଟଣାର ଟେର ନପାଇବା ପୁଲିସ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।