ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ମୈଦଲପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଗୁଜିମାପଦର ଗାଁ’ରେ ଗୁଣିଗାରେଡ଼ି ସନ୍ଦେହରେ ଜଣଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗାଁ’ର ତୁଳାବତୀ ସାନ୍ତା(୫୫) ଗୁଣିଗାରେଡ଼ି କରୁଥିବା ଉକ୍ତ ଗ୍ରାମର ଦୁଇ ଭାଇ ଦାନୁ ସାନ୍ତା ଓ ରାଧେ ସାନ୍ତା ବହୁ ଦିନରୁ ସନ୍ଦେହ କରିଆସୁଥିଲେ।

ମଙ୍ଗଳବାର ବିଳମ୍ବିତ ତୁଳାବତୀ ସାନ୍ତା, ସ୍ୱାମୀ ଅନ ସାନ୍ତା (୬୦) ୧୧ଘଣ୍ଟା ସମୟରେ ଶୋଇଥିବା ବେଳେ ରାତ୍ରିରେ ଦୁଇ ଭାଇ ତୁଳାବତୀଙ୍କୁ ଘରୁ ଟାଣିଆଣି କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଏ ଘଟଣାକୁ ତୁଳାବତୀଙ୍କ ବୋହୁ ଟିକମ ପ୍ରତିବାଦ କରିବାରୁ ତାଙ୍କର ଏକ ମାସର ପୁଅକୁ ମରିବା ପାଇଁ ଧରି ଥିଲେ। ପୁଅକୁ ବଞ୍ଚାଇବା ବେଳେ ଟିକମକୁ ମାରି ତାଙ୍କର ଡାହାଣ ହାତ ଭାଙ୍ଗି ଦେଇଥିଲେ। ଏ ନେଇ ମୃତକଙ୍କ ଝିଅ ଓ ଜ୍ୱାଇଁ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାଧେ ସାନ୍ତାଙ୍କୁ ପଚରାଉଚୁରା କରୁଥିବାବେଳେ ଦାନୁ ସାନ୍ତା ଫେରାର ଥିବା ଜଣାଯାଇଛି। ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।