ହୀରାକୁଦ ଡ୍ୟାମ ଜଳସ୍ତର ୬୨୦ ଫୁଟ ଛୁଇଁଲା

ସମ୍ବଲପୁର, ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମ ଜଳସ୍ତର ୬୨୦ ଫୁଟ ଛୁଇଁଛି। ଏଣେ ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ କରୁଥିବାରୁ ଡ୍ୟାମରୁ ମହାନଦୀକୁ ୧୮ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି। ଡ୍ୟାମ କଣ୍ଟ୍ରୋଲରୁମରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଟାରେ ଡ୍ୟାମ ଜଳସ୍ତର ୬୧୯.୫୦ ଫୁଟରେ ପହଞ୍ଚିଥିବାବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୩ ଲକ୍ଷ ୧୩ ହଜାର ୭୧୯ ଘନଫୁଟ (କ୍ୟୁସେକ) ବନ୍ୟାଜଳ ପ୍ରବେଶ କରୁଛି। ପୂର୍ବରୁ ୧୩ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ ଆଜି ପୁଣି ୫ ଗେଟକୁ ଖୋଲି ଦିଆଯାଇଛି। ମହାନଦୀକୁ ୨ ଲକ୍ଷ ୮୦ ହଜାର ୩୫୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଡ୍ୟାମ ତଳମୁଣ୍ଡରେ ମହାନଦୀରେ ଖଇରମାଲରେ ୪ ଲକ୍ଷ ୩୬ ହଜାର, ବରମୂଳରେ ୪ ଲକ୍ଷ ୪୬ ହଜାର ଏବଂ ମୁଣ୍ଡୁଳିରେ ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ ଜଳ ପ୍ରବାହିତ ହେଉଛି। ଏଠାରେ ସୂଚନାଯୋଗ୍ୟ ଯେ ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ।