ହୀରାକୁଦ ଡ୍ୟାମରେ ଫାଟ: ଆରଓଭି ଉତ୍ତୋଳିତ ଫଟୋ ଆଧାରରେ ହେବ ମରାମତି

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମରେ ଦେଖାଦେଇଥିବା ଫାଟ ମରାମତି କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହାକୁ ମରାମତି କରାଯିବା ପାଇଁ ବମ୍ବେର ଏକ କମ୍ପାନୀକୁ କାର୍ଯ୍ୟାଦେଶ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ବର୍ଷ ତଳେ ଆର୍ଓଭି ମାଧ୍ୟମରେ ଉତ୍ତୋଳିତ ଫଟୋ ଆଧାରରେ ଏହି ମରାମତି କାର୍ଯ୍ୟ ହେବ। ପ୍ରକାଶ ଯେ, ବୁର୍ଲା ହୀରାକୁଦ ଡ୍ୟାମ୍ ଜଳଭଣ୍ଡାରର ତଳଭାଗରେ ଫାଟ ରହିଥିବା ଜଣାପଡ଼ିବା ପରେ ଆରଓଭି ମାଧ୍ୟମରେ ଏକ ଉଚ୍ଚକ୍ଷମତା ସମ୍ପନ୍ନ କ୍ୟାମେରାରେ ଡ୍ୟାମର କଂକ୍ରିଟ ଏବଂ ଗେଟର ଚିତ୍ର ଉତ୍ତୋଳନ କରାଯାଇ ସେଥିରେ କଂକ୍ରିଟରେ ହୋଇଥିବା ଫାଟ ଚିହ୍ନଟ କରାଯାଇଛି।

ବର୍ତ୍ତମାନ ବମ୍ବେର ଡାଇନୋସର ନାମକ କମ୍ପାନୀକୁ ଏହି ଫାଟ ମରାମତି ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ହୀରକୁଦ ମେନ୍ ଡ୍ୟାମ୍ ନିର୍ବାହୀ ଯନ୍ତ୍ରୀ ନିରାକାର ବିଶି ସୂଚନା ଦେଇଛନ୍ତି ଯେ, ପାଣି ସମ୍ପୂର୍ଣ୍ଣ ସ୍ୱଚ୍ଛ ହେବା ପରେ ମରାମତି କାମ ଆରମ୍ଭ ହେବ ଏବଂ ୧୭ ମାସର ସମୟ ଅବିଧି ମଧ୍ୟରେ ଏହି ମରାମତି କାମ ସମ୍ପୂର୍ଣ୍ଣ କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ସେ କହିଛନ୍ତି।