ହିମାଚଳ ପ୍ରଦେଶରେ ବଢ଼ିଲା କର୍ଫ୍ୟୁ ଅବଧି

ସିମଲା,ଏଜେନ୍ସି: ଦେଶରେ କୋଭିଡ ସଂକ୍ରମଣର ବଢ଼ୁଥିବା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ ଜାରି ରହିଛି। ଏହି ମଧ୍ୟରେ ହିମାଚଳ ପ୍ରଦେଶରେ ମଧ୍ୟ ସଂକ୍ରମଣର ମୁକାବିଲା କରିବା ପାଇଁ ସରକାର ପୁଣି କର୍ଫ୍ୟୁ ଅବଧିକୁ ବୃଦ୍ଧି କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଆଜି ହିମାଚଳ ପ୍ରଦେଶରେ କର୍ଫ୍ୟୁ ଶେଷ ହେଉଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କର୍ଫ୍ୟୁ ଜାରି ରହିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

କ୍ୟାବିନେଟ ମନ୍ତ୍ରୀ ସୁରେଶ ଭରଦ୍ୱାଜ ଏକ ପ୍ରେସମିଟ କରି କହିଛନ୍ତ ଯେ, ଦୈନନ୍ଦିନ ୩ ଘଣ୍ଟା କର୍ଫ୍ୟୁ କୋହଳ କରାଯିବ। ଏହି ସମୟରେ ଜରୁରୀ ସାମଗ୍ରୀ ପାଇଁ ଲୋକମାନେ ପଦାକୁ ଆସିପାରିବେ। ସେହିପରି ହାଡୱାର ଦୋକାନ କେବଳ ମଙ୍ଗଳବାର ଓ ଶୁକ୍ରବାର ଖୋଲିବ। ଏଥିସହିତ ସେ କହିଛନ୍ତି କି ଯେଉଁ ଲୋକମାନେ ବିବାହ ପାଇଁ ମଞ୍ଜୁରି ନେଇଛନ୍ତି ସେମାନେ ଏହାକୁ ଘୁଞ୍ଚାଇ ଦିଅନ୍ତୁ କିମ୍ବା ୨୦ ଜଣ ଲୋକଙ୍କ ଭିତରେ ନିରାଡମ୍ବରରେ ବିବାହ କରାନ୍ତୁ।

ଗତକାଲି ରିପୋର୍ଟ ଅନୁସାରେ ରାଜ୍ୟରେ ଦିନକରେ ୬୭ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି।