ମୋଦୀଙ୍କୁ ଭେଟିଲେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ବିଧାନସଭା ବାହାରେ ଖାଲିସ୍ତାନୀ ବ୍ୟାନର ଓ ପତାକା ଲଗାଇବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତିମଧ୍ୟରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ସମୟରେ ଖଲିସ୍ତାନ ମାମଲାକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଅନ୍ୟପଟେ ମେ’ ୩୧ ତାରିଖରେ ହିମାଚଳ ଆସିବାକୁ ଜୟରାମ ଠାକୁର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଖଲିସ୍ତାନ ମାମଲାକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ, ଦେବଭୂମି ହିମାଚଳର ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶକୁ ଖରାପ କରୁଥିବା ଲୋକଙ୍କୁ ସହ୍ୟ କରାଯିବ ନାହିଁ । ଧର୍ମଶାଳା ବିଧାନସଭାରେ ହୋଇଥିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାଜିନ୍ଦ୍ର ସିଂହଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ବିଧାନସଭାରେ ଖାଲିସ୍ତାନୀ ପତାକା ଲଗାଇଥିବା ଘଟଣାକୁ ସ୍ୱୀକାର କରିଛନ୍ତି । ହିମାଚଳ ଓ ପଞ୍ଜାବ ପୁଲିସର ସଂଯୁକ୍ତ ପ୍ରୟାସ ବଳରେ ଅନ୍ୟଜଣେ ଅଭିଯୁକ୍ତ ବିନୀତ ସିଂହଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯିବ ।