ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପ୍ରସଙ୍ଗ : ବ୍ୟାଙ୍କ ଓ ସରକାରୀ ଦପ୍ତର ଠପ୍

ସମ୍ବଲପୁର, ଏନ୍ଏନ୍ଏସ୍: ପଶ୍ଚିମଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ପଶ୍ଚିମଓଡ଼ିଶା ଓକିଲ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି)ର ନିଷ୍ପତ୍ତି କ୍ରମେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଠାରୁ ୩ ଦିନିଆ ଆନ୍ଦୋଳନ ଆରମ୍ଭ ହୋଇଛି। ମାସର ଶେଷ ୩ କାର୍ଯ୍ୟ ଦିବସରେ ବିଚାର ବିଭାଗୀୟ ଅଦାଲତ ଗୁଡ଼ିକ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଦପ୍ତର, ବ୍ୟାଙ୍କ, ବୀମା ଓ ସମସ୍ତ ଆର୍ଥିକ ସଂସ୍ଥାକୁ ଠପ୍ କରାଯାଇଛି।

ନେଲସନ ମଣ୍ଡେଲା (କଚେରି) ଛକରେ ବହୁ ସଂଖ୍ୟାରେ ନାଗରିକ ପିକେଟିଂ କରି ଜିଲ୍ଲା ଦୌରାଜଜ୍ ସନ୍ତୋଷ କୁମାର ଜେନା ଓ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନଙ୍କୁ ଅଦାଲତରେ ଯୋଗଦେବାକୁ ବାରଣ କରିଥିଲେ। ଫଳରେ ଅଧିକାରୀମାନେ ଫେରି ଯାଇଥିଲେ। ସେହିପରି ଲୋକଙ୍କ ପିକେଟିଂ ଯୋଗୁଁ ଆରଡିସି ଅଫିସ୍, କଲେକ୍ଟୋରେଟ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିଥିଲା। ଆନ୍ଦୋଳନକାରୀମାନେ ସହର ସାରା ବୁଲି ବୁଲି ପିକେଟିଂ କରିବାରୁ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ବୀମା ଓ ଅନ୍ୟାନ୍ୟ ଆର୍ଥିକ ସଂସ୍ଥାର କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଥିଲା। ହୀରାକୁଦ ଓ ବୁର୍ଲା ସହରରେ ମଧ୍ୟ ଆନ୍ଦୋଳନକାରୀମାନେ ପିକେଟିଂ କରିଥିଲେ। ଆସନ୍ତା ୩୧ ତାରିଖ ଯାଏ ଏହି କ୍ରମରେ ଆନ୍ଦୋଳନ ଚାଲିବ।