ଭୁବନେଶ୍ୱର,ଏନ୍ଏନ୍ଏସ୍:ମହାନଦୀରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି। ଏନେଇ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ ସୂଚନା ଦେଇଛନ୍ତି। ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳ ସୁଦ୍ଧା ଉପରମୁଣ୍ଡରେ ୨୦୦ ମିମି ବର୍ଷା ରେକର୍ଡ କରାଯାଇଛି। ହୀରାକୁଦରେ ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲୁଥିବାରୁ ମହାନଦୀରେ ଜଳସ୍ତର ବଢ଼ୁଛି । ହୀରାକୁଦକୁ ୬ଲକ୍ଷ ୫୬ ହଜାର ୬ କ୍ୟୁସେଜ ଜଳ ପ୍ରବେଶ କରୁଥିବାବେଳେ ୩ଲକ୍ଷ ୩୫ହଜାର ଜଳ ନିଷ୍କାସିତ ହେଉଛି। ଏବେ ହୀରାକୁଦରେ ଜଳସ୍ତର ୬୨୫ ଫୁଟ ରହିଛି। ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ୍ ଖୋଲାଯାଇ ଥିବାବେଳେ ଆଗାମୀ ଦିନରେ ୩୬ଟି ଗେଟ୍ ଖୋଲାଯିବ। ହୀରାକୁଦ ପରେ ମହାନଦୀରେ ତେଲ, ସୁକତେଲ ଓ ଜିରା ନଦୀ ଜଳ ମିଶିବ। ବର୍ତ୍ତମାନ ସ୍ଥିତି ଅନୁସାରେ ହୀରାକୁଦରୁ ଆସୁଥିବା ଜଳ ୩୬ ଘଣ୍ଟାରେ ମୁଣ୍ଡୁଳି ପହଞ୍ଚିବ। ଏସବୁ ମୁଣ୍ଡୁଳିରେ ପହଞ୍ଚିଲା ବେଳକୁ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେଜ ହେବ। ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର ପରି କୋଷ୍ଟାଲ ଜିଲ୍ଲାଗୁଡ଼ିକ ବିଶେଷ ଭାବରେ ପ୍ରଭାବିତ ହେବ ବୋଲି ଶ୍ରୀ ରଥ କହିଛନ୍ତି।