କଟକ,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ପୌରାଞ୍ଚଳର ନିର୍ବାଚନ ବିଳମ୍ବ ପ୍ରସଂଗକୁ ନେଇ ଦାୟର ୩ଟି ପୃଥକ ମାମଲାର ହାଇକୋର୍ଟ ଏକତ୍ର ଶୁଣାଣି କରିଛନ୍ତି। ଶୁଣାଣି ପରେ ରାଜ୍ୟ ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ପୂର୍ବତନ ମନ୍ତ୍ରୀ ସମୀର ଦେ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ପୂର୍ବତନ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରସନ୍ନ କୁମାର ମିଶ୍ରଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ୪ ସପ୍ତାହ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କଟକ, ପୁରୀ ଓ ଭୁବନେଶ୍ୱରରେ ପୌରାଞ୍ଚଳ ନିର୍ବାଚନ ପାଇଁ ତୁରନ୍ତ ବିଜ୍ଞପ୍ତି ପ୍ରକାଶ ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ପୌର ପରିଷଦର ନିର୍ବାଚିତ ସଦସ୍ୟଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିର୍ବାଚନ ହେବା କଥା। ଇତି ମଧ୍ୟରେ ୩ ବର୍ଷ ବିତିବାକୁ ବସିଥିବା ବେଳେ ପୌର ନିର୍ବାଚନ କରାଯାଉ ନାହିଁ। ରାଜ୍ୟ ସରକାରଙ୍କ ଚାପରେ ରାଜ୍ୟ ନିର୍ବାଚନ କମିସନ୍ ପୌର ନିର୍ବାଚନ କରିବା ପାଇଁ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଆବେଦନକାରୀ ଦର୍ଶାଇଛନ୍ତି।