ଆପୋଲୋକୁ ୪ ସପ୍ତାହ ଆଶ୍ୱସ୍ତି

ଭୁବନେଶ୍ୱର, ଏନଏନଏସ: ଭୁବନେଶ୍ୱର ଆପୋଲୋ ହସ୍ପିଟାଲରକୁ ମିଳିଲା ସାମୟିକ ଆଶ୍ୱସ୍ତି ଦେଇଛନ୍ତି ହାଇକୋର୍ଟ। କିଡ୍‌ନୀ କାଢ଼ି ନେବା ମାମଲାରେ ହସ୍ପିଟାଲ ପଞ୍ଜୀକରଣ ରଦ୍ଦ ହେବା ଉପରେ ଏନଏଚଆରସି (ଜାତୀୟ ମାନବାଧିକାର କମିଶନ)ଙ୍କ ନିର୍ଦ୍ଦେଶ ଉପରେ ୪ସପ୍ତାହ ଯାଏଁ ରହିତାଦେଶ ଦେଲେ ହାଇକୋର୍ଟ।

କିଡ଼ନି ପ୍ରତ୍ୟାରୋପଣ ମାମଲାରେ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ଉପରେ ୪ ସପ୍ତାହ ଯାଏଁ କାର୍ଯ୍ୟକାରୀ ନ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆପୋଲୋକୁ ଏହି ୪ସପ୍ତାହ ମଧ୍ୟରେ ଏନଏଚଆରସିଙ୍କ ନିକଟରେ ଯୁକ୍ତି ତଥା ନିଜ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଯୁକ୍ତି ପରେ କିଡ୍‌ନୀ ପ୍ରତ୍ୟାରୋପଣ ମାମଲାରେ ଏନଏଚଆରସି ଶୁଣାଣୀ କରିବେ ।

ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ବରଗଡ଼ର ଅନିଲ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ତାଙ୍କର କିଡନୀ କାଢ଼ି ନିଆଯାଇଥିଲା। ଏହା ପରେ ୨୦୧୬ରେ ଅନିଲ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲା ଅଧିକ ଜଟିଳ ହୋଇ ଜାତୀୟ ମାନବାଧିକାର କମିଶନଙ୍କ ପାଖରେ ପହଞ୍ଚିଥିଲା। ଏନଏଚଆରସି ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ରଦ୍ଦ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।