ହାଇକୋର୍ଟ ବେଞ୍ଚ ଆନ୍ଦୋଳନ :  ବନ୍ଦ  ରହିଲା ସବୁ ସରକାରୀ ଅଫିସ

ସମ୍ବଲପୁର/ ବରଗଡ଼ ,ଏନ୍ଏନ୍ଏସ୍: ହାଇକୋର୍ଟର ସ୍ଥାୟୀ ବେଞ୍ଚ  ସ୍ଥାପନ ଦାବିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ଆନ୍ଦୋଳନ ଜାରି ରଖିଛି। ମାସର ଶେଷ  ୩ କାର୍ଯ୍ୟ ଦିବସରେ ଆନ୍ଦୋଳନ ହେଉଥିବା ପରିପ୍ରେକ୍ଷୀରେ ଆଜି ସମ୍ବଲପୁରରେ ଦଳମତ ନିର୍ବିଶେଷରେ ନେତା ଓ କର୍ମୀ, ବିଭିନ୍ନ ସାମାଜିକ ଓ ଗଣସଂଗଠନ କର୍ମକର୍ତ୍ତା ଓ ଓକିଲମାନେ ପିକେଟିଂ କରିଥିଲେ। ସମ୍ବଲପୁର ନେଲସନ୍ ମଣ୍ଡେଲା (କଚେରି)ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ ଯୋଗୁଁ ଜିଲ୍ଲା ଜଜ୍ ଏବଂ ଅନ୍ୟ ବିଚାର ବିଭାଗୀୟ ଅଧିକାରୀମାନେ ଅଦାଲତରେ ଯୋଗଦେଇ ପାରିନଥିଲେ। ସେହିପରି ଆନ୍ଦୋଳନକାରୀଙ୍କ ପିକେଟିଂ ଯୋଗୁଁ ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ, କଲେକ୍ଟୋରେଟ, ବନ୍ଦୋବସ୍ତ ଯୁଗ୍ମ କମିଶନର, ମହାନଗର ନିଗମ, ରେଜିଷ୍ଟ୍ରାର, ଆୟକର, ବିକ୍ରୟ କର, ସମବାୟ, ବନବିଭାଗ, ଉପଜିଲ୍ଲାପାଳ, ତହସିଲଦାର, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ଜଳସେଚନ, ଜାତୀୟ ରାଜପଥ ପ୍ରଭୃତି ରାଜ୍ୟ ଓ କେନ୍ଦ୍ର ସରକାରୀ ଦପ୍ତର ବନ୍ଦ ରହିଥିଲା। ଗତ ୨୬ ଓ ୨୭ ତାରିଖ ପୂର୍ବତଟ ରେଳବାଇ ସମ୍ବଲପୁର ଡିଭିଜନାଲ ମୁଖ୍ୟାଳୟ ମଧ୍ୟ ବନ୍ଦ ରହିଥିବା ବେଳେ  ଆଜି ମହାନଦୀ କୋଇଲା କମ୍ପାନୀ (ଏମ୍ସିଏଲ୍) ମୁଖ୍ୟାଳୟରେ ଆନ୍ଦୋଳନକାରୀ ପିକେଟିଂ କରିଥିଲେ। ଫଳରେ ଏମ୍ସିଏଲ୍ ମୁଖ୍ୟାଳୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ସେହିପରି ବରଗଡ଼ ଓକିଲ ସଂଘ ତରଫରୁ ଉପରୋକ୍ତ ଦାବିରେ ଅର୍ଥନୈତିକ ଅବରୋଧ ଚାଲିଛି। ଆନ୍ଦୋଳନକୁ ଆହୁରି ଜୋରଦାର କରିବା ସହ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମଧ୍ୟ  ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।  ଆନ୍ଦୋଳନର ଆଜି ଷଷ୍ଠ ଦିନରେ ଆସନ୍ତା ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ କୋର୍ଟ  ସମ୍ମୁଖରେ ପିକେଟିଂ କରାଯାଇ  କାର୍ଯ୍ୟକୁ ସଂପୂର୍ଣ୍ଣ ଅଚଳ କରି ଦିଆଯିବ ବୋଲି ସଂଘ ନିଷ୍ପତ୍ତି ନେଇଛି। ଓକିଲ ସଂଘର ସଭାପତି ବେଲାଳସେନ ସରାଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସଭାପତି ସରୋଜ ତ୍ରୀପାଠୀ, ସାଧାରଣ ସମ୍ପାଦକ ହେମନ୍ତ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।