ନୂଆଦିଲ୍ଲୀ,ଏଜେନ୍ସି: ଲଦାଖରେ ଭାରତ-ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଭାରତୀୟ ନୌସେନା, ସ୍ଥଳ ସେନା ଏବଂ ବାୟୁସେନାକୁ ଆଲର୍ଟ ରହିବାକୁ କୁହାଯାଇଛି। ଏ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସେନା ପ୍ରତିରକ୍ଷା ମୁଖ୍ୟ(ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତି ହୋଇଛି।
ବର୍ତ୍ତମାନ ୩୫୦୦ କିଲୋମିଟର ବ୍ୟାପୀ ଚୀନ୍ ସୀମାକୁ ଭାରତୀୟ ସେନା କଡା ନଜର ରଖିଛି। ଏହା ସହ ଅରୁଣାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ସହିତ ଏହାର ସମସ୍ତ ପ୍ରମୁଖ ଫ୍ରଣ୍ଟ୍ ଲାଇନ୍ ବେସରେ ଅତିରିକ୍ତ ସୈନ୍ୟ ନିୟୋଜି କରାଯାଇଛି। ସେହିପରି ବାୟୁସେନା ଏହାର ସମସ୍ତ ଫରୱାର୍ଡ ଲାଇନ୍ ବେସରେ ନଜର ରଖିବା ପାଇଁ ଆଲର୍ଟ ସ୍ତରକୁ ବୃଦ୍ଧି କରିସାରିଛି।
ସୂଚନାଯୋଗ୍ୟ, ସୋମବାର ରାତିରେ ଗାଲଭାନ୍ ଭ୍ୟାଲିରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଭାରତୀୟ ସୈନିକମାନଙ୍କର ଏକ ଦଳ ଚୀନ୍ ସୈନିକମାନଙ୍କ ସହ ଆଲୋଚନା କରିବାକୁ ଯାଇଥିବା ବେଳେ ଚୀନ୍ ସୈନିକମାନେ ହଠାତ ଆକ୍ରମଣ କରିଥିଲେ। ଏହି ସଂଘର୍ଷରେ ଭାରତୀୟ ସେନାର ୨୦ ଯବାନ ସହିଦ ହୋଇଥିଲେ।