ପାକିସ୍ଥାନରେ ମହଙ୍ଗା ହେଲା ହିନ୍ଦୁଙ୍କ ଶବ ସଂସ୍କାର

ନୂଆଦିଲ୍ଲୀ,ଏଜେନ୍ସି: ପାକିସ୍ତାନରେ ହିନ୍ଦୁମାନଙ୍କୁ ଶବ ସଂସ୍କାର କରିବା ପାଇଁ ମହଙ୍ଗା ହେବାରୁ ଲୋକମାନେ ପୋତିବାକୁ ବାଧ୍ୟ ହେଉଛନ୍ତି। ଏନେଇ କିଛି ହିନ୍ଦୁ ଶବକୁ ପୋତି ଦେଉଛନ୍ତି ତ ଆଉ କିଛି ଅସ୍ତିକୁ ବିସର୍ଜନ କରିବା ପାଇଁ ଅପେକ୍ଷା କରିଛନ୍ତି । ସୂଚନା ଅନୁସାରେ ପାକିସ୍ତାନରେ ହିନ୍ଦୁ ଧର୍ମ ଅନୁସାରେ ଅନ୍ତିମ ସଂସ୍କାର କରିବା ମହଙ୍ଗା ହୋଇଛି।

ଜଣେ ହିନ୍ଦୁର ଦାହ ସଂସ୍କାରରେ ୨୦ ରୁ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏପଟେ ଅସ୍ତିକୁ ଗଙ୍ଗାରେ ବିସର୍ଜନ କରିବା ପାଇଁ ବହୁ ଦିନ ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ଖାଲି ସେତିକି ନୁହେଁ ଏଥିପାଇଁ ଭିସାର ବ୍ୟବସ୍ଥା ନେଇ ଇସ୍ଲାମାବାଦର ଚକ୍କର କାଟିବାକୁ ପଡୁଛି । ଅସ୍ତିକୁ ହରିଦ୍ୱାର ପର୍ୟ୍ୟନ୍ତ ନେଇଯିବା ପାଇଁ ଖର୍ଚ୍ଚ ମଧ୍ୟ ଅଲାଗା ରଖାଯାଇଛି।

ଭାରତ-ପାକିସ୍ତାନ ମଧ୍ୟରେ ଚାଲୁଥିବା ସମ୍‌ଝୋତା ଏକ୍ସପ୍ରେସ୍‌ ବନ୍ଦ କରିଥିଲା ପାକିସ୍ତାନ । ଏହିକାରଣରୁ ପାକିସ୍ତାନରେ ବସତି ସ୍ଥାପନ କରିଥିବା ହିନ୍ଦୁମାନେ ମୃତକଙ୍କ ଅସ୍ତିକୁ ଗଙ୍ଗା ନଦୀରେ ବିସର୍ଜନ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପାକ୍‌ର ହଜାର ହଜାର ଅସ୍ତିକୁ କରାଚି ସହିତ ସିନ୍ଧର ବିଭିନ୍ନ ମନ୍ଦିରରେ ରଖାଯାଇଛି । ପାକିସ୍ତାନି ହିନ୍ଦୁ ଏହି ଅସ୍ତିମାନଙ୍କୁ ଭାରତ ନେଇଯିବାକୁ ଅପେକ୍ଷା କରିଛନ୍ତି ।

ପାକିସ୍ତାନ ସମ୍‌ଝୋତା ଏକ୍‌ପ୍ରେସ୍‌କୁ ବନ୍ଦ କରିବା ପରେ ଏହି ସମସ୍ୟା ଉପୁଜିଛି । ପାକିସ୍ତାନୀ ହିନ୍ଦୁ ଏହି ଏକ୍ସପ୍ରେସରେ ଦିଲ୍ଲୀ ପହଞ୍ଚୁଥିଲେ, ସେଠାରୁ ଟ୍ରେନ୍‌ ସାହାର୍ୟ୍ୟରେ ହରିଦ୍ୱାର ପହଞ୍ଚି ନିଜ ପ୍ରିୟଜନମାନଙ୍କର ଅସ୍ତି ଗଙ୍ଗାରେ ବିସର୍ଜନ କରିଥାନ୍ତି । ଅନ୍ୟପଟେ ପାକିସ୍ତାନୀ ହିନ୍ଦୁମାନଙ୍କ ଏହି ସମସ୍ୟାକୁ ନଜରଅନ୍ଦାଜ କରୁଛନ୍ତି ଇମରାନ୍‌ ସରକାର।