ପୁଲିସ ଏନକାଉଣ୍ଟରରେ ଆହତ ହାଇଦର ମୃତ

ବାଲେଶ୍ୱର,ଏନ୍ଏନ୍ଏସ୍: ଆଜି ଅପରାହ୍ଣରେ ପୁଲିସ ଏନକାଉଣ୍ଟରରେ ଆହତ ହୋଇଥିବା ସୁଲେମାନ ହାଇଦରର ମୃତ୍ୟୁ ହୋଇଛି। ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ତାର ମୃତ୍ୟୁ ହୋଇଛି। ମୃତ୍ୟୁ ନେଇ ବାଲେଶ୍ୱର ଏଡିଏମଓ ମୃତ୍ୟୁଞ୍ଜୟ ମିଶ୍ର ସ୍ପଷ୍ଟ କରିଛନ୍ତି। ହାଇଦରର ମୃତ ଦେହ ବାଲେଶ୍ୱରରେ ବ୍ୟବଚ୍ଛେଦ ହେବ।

ସୂଚନା ଅନୁସାରେ କୋର୍ଟର ନିର୍ଦ୍ଦେଶ ଅନୁସାରେ ଆଜି ଚୌଦ୍ୱାର ସର୍କଲ ଜେଲରୁ ବାରିପଦା ଜେଲକୁ ହାଇଦରକୁ ଟ୍ରାନ୍ସଫର କରାଯାଉଥିଲା। ତେବେ ଏହି ସ୍ଥାନାନ୍ତରଣ ପାଇଁ କଟକ ପୁଲିସର ଏକ ଏସକର୍ଟ ଟିମ ଗଠନ ହୋଇଥିଲା। ଏଥିଷର ଜଣେ ଏସଆଇ ଓ ଗୋଟେ ସେକସନ ପୁଲିସ ଅସ୍ତ୍ରଶସ୍ତ୍ର ସହିତ ହାଇଦରକୁ କଟକରୁ ବାରିପଦା ନେଇ ଯାଉଥିଲେ। ବାଟରେ ଯିବା ସମୟରେ ବାରିପଦାର ସିମୁଳିଆ ନିକଟରେ ପ୍ରାୟ ୩ଟା ୨୦ରେ ସେ ପ୍ରକୃତି ଡାକରା ଯୋଗୁଁ ପଦାକୁ ଯିବାକୁ କହିଥିଲା। ପୁଲିସ ଗାଡ଼ି ଅଟକାଇ ତାକୁ ପଦାକୁ ଆଣିଥିଲା। ପଦାକୁ ଆସିବା ପରେ ସେ ପୁଲିସ ଠାରୁ ବନ୍ଧୁକ ଛଡ଼ାଇ ସେଠାରୁ ଫେରାର ହେବାକୁ ଉଦ୍ୟମ କରୁଥିଲା। ଏହି ସମୟରେ ଏସଆଇ ତାଙ୍କୁ ଅଟକାଇବାକୁ ଗୁଳିଚଳାଇଥିଲେ। ଏଥିରେ ହାଇଦର ପେଟରେ ଗୁଳି ବାଜିଥିଲା। ସେଠାରୁ ତାକୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ହାଇଦରର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଡାକ୍ତରଙ୍କ ସୂଚନା ଅନୁସାରେ ହାଇଦର ଅତି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।