ହେଟାବାଘକୁ ମାରିଲେ, ଦାନ୍ତ ଓ ନଖ ଲୁଟିନେଲେ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରିଠାରୁ କୋରୁକୋଣ୍ଡା ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଟେକଗୁଡ଼ା-ଆମ୍ବଗଛିଆଗୁଡ଼ା ମଧ୍ୟରେ ଥିବା ଏକ ନାଳ ନିକଟରୁ ଆଜି ସକାଳୁ ଏକ ମୃତ ହେଟାବାଘ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକେ ଏହା ଦେଖି କୋରୁକୋଣ୍ଡା ବନ ବିଭାଗକୁ ଖବର ଦେଇଥିଲେ। କୋରୁକୋଣ୍ଡା ବନ ବିଭାଗର ବନପାଳ ରାଜେଶ ସେଠୀ, ଗାର୍ଡ ସାରୁ କବାସୀ ଏବଂ ସମସ୍ତ କର୍ମଚାରୀ ସେଠାରେ ପହଞ୍ଚ ମୃତ ହେଟାବାଘଟିକୁ ଉଦ୍ଧାର କରିଥିଲେ।

ଉଦ୍ଧାର କରିବା ସମୟରେ ସେହି ହେଟାବାଘଟିର ପାଟି କଟାଯାଇ ଦାନ୍ତ ନଥିବା ଏବଂ ଗୋଡ଼ର ନଖ ଆଦି ନଥିବା ଦେଖିବାକୁ ମିଳିଥିଲା। ପରେ ବ୍ୟବଚ୍ଛେଦ ନିମନ୍ତେ କୋରୁକୋଣ୍ଡା ପଶୁ ଚିକିତ୍ସାଳୟକୁ ପଠାଯାଇଥିଲା। ପ୍ରାଥମିକ ତଦନ୍ତ ପରେ ଫରେଷ୍ଟର୍ ରାଜେଶ ସେଠୀ ଏକ ଅଜଣା ଗାଡ଼ି ଧକ୍କାରେ ସେହି ହେଟାବାଘର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି। ତେବେ ମୃତ ହେଟାବାଘର ଦାନ୍ତ ଓ ନଖ କାଟିନେଇଥିବା ଘଟଣାରେ ଏକ ମାମଲା ରୁଜୁକରି ଏହାର ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।