ଖୋଲିବନି ଐତିହ୍ୟ କୀର୍ତ୍ତିରାଜି, କୋଭିଡ୍-୧୯ ସଂକ୍ରମଣ ପାଇଁ ୩୧ ଯାଏ ବନ୍ଦ ରହିବ ୯ଟି ଐତିହ୍ୟସ୍ଥଳୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏବେ ଖୋଲିବନି ଖଣ୍ଡଗିରି, ଉଦୟଗିରି ସମେତ ୯ଟି ଐତିହ୍ୟ କୀର୍ତ୍ତିରାଜି। ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ଥିବା ୯ଟି ଐତିହ୍ୟ କୀର୍ତ୍ତିରାଜିକୁ ସର୍ବସାଧାରଣଙ୍କ ପାଇଁ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ କୋଭିଡ୍-୧୯ ସଂକ୍ରମଣ ଦିନକୁ ଦିନ ଗୁରୁତର ରୂପ ନେଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଜୁଲାଇ ୩୧ ପର୍ଯ୍ୟନ୍ତ ଏହି ପ୍ରମୁଖ ଐତିହ୍ୟସ୍ଥଳୀକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ସ୍ଥିର କରିଛି। ଏନେଇ ଏଏସଆଇ ଓଡ଼ିଶା ସର୍କଲ ମୁଖ୍ୟଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଚିଠି ଲେଖିଛନ୍ତି।

କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଦ୍ୱାରା ସଂରକ୍ଷିତ ଦେଶର ସମସ୍ତ କୀର୍ତ୍ତିରାଜି ଏବଂ ଐତିହ୍ୟସ୍ଥଳୀକୁ ଜୁଲାଇ ୬ ତାରିଖରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମକୁ କଡ଼ାକଡ଼ି ପାଳନ କରି ରାଜ୍ୟରେ ଐତିହ୍ୟସ୍ଥଳୀ ଏବଂ ସଂଗ୍ରହାଳୟ ଖୋଲିବାକୁ ଏଏସ୍ଆଇ ଭୁବନେଶ୍ୱର ସର୍କଲ୍ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହିକ୍ରମରେ ଭୁବନେଶ୍ୱରର ରାଜାରାଣୀ ମନ୍ଦିର, ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା, ଶିଶୁପାଳଗଡ଼, ଶାନ୍ତିସ୍ତୂପ ଧଉଳି, ପାପନାଶିନୀ ମନ୍ଦିର, ସହସ୍ରଲିଙ୍ଗ ମନ୍ଦିର ଆଦିକୁ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥାନ୍ତା। ହେଲେ ସଂକ୍ରମଣ ବ୍ୟାପିବା ଆଶଙ୍କାରୁ ଏସବୁକୁ ନ ଖୋଲିବାକୁ ନିଷ୍ପତ୍ତି ନେଇଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ।