ଗଞ୍ଜାମରେ କ୍ରମାଗତ କମୁଛି ସଂକ୍ରମଣ ହାର; ଉପଲବ୍ଧ ହେବ ୩୦୦ ଶଯ୍ୟା, ୪୮ ଆଇସିୟୁ

ଭୁବନେଶ୍ୱର,ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଜିଲ୍ଲାରେ ୨ଟି କୋଭିଡ୍ ହସ୍ପିଟାଲ ଲୋକାର୍ପିତ କରିଛନ୍ତି। ଏହି ଦୁଇଟି ହସ୍ପିଟାଲରେ ୧୫୦ଟି ଲେଖାଏଁ ମୋଟ ୩୦୦ ଶଯ୍ୟା ଏବଂ ୨୪ଟି ଆଇସିୟୁ ବେଡ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଗଞ୍ଜାମ ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବରେ କମୁଛି। ଗଞ୍ଜାମରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି ଏବଂ ଜିଲ୍ଲାର ୮୫ ପ୍ରତିଶତ ଗ୍ରାମାଞ୍ଚଳ ସବୁଜ ଅଞ୍ଚଳରେ ରହିଛି। କିନ୍ତୁ ଯେ ପର୍ଯ୍ୟନ୍ତ ଟିକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ବାହାରିଛି ଏହି ମହାମାରୀ ବିରୋଧରେ ଫଳପ୍ରଦ ଲଢ଼େଇର ଏକମାତ୍ର ଉପାୟ ହେଉଛି ମାସ୍କର ବ୍ୟବହାର, ସାମାଜିକ ଦୂରତ୍ୱ ଓ ସରକାରଙ୍କ କୋଭିଡ ନିୟମାବଳୀର ପାଳନ। ଜନସାଧାରଣ କୋଭିଡ ନିୟମାବଳୀକୁ ହାଲ୍‌କା ଭାବରେ ନନେଇ ଏହାର ଗୁରୁତ୍ୱକୁ ଭଲ ଭାବରେ ବୁଝନ୍ତୁ। ନିଜର ଏବଂ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ସବୁ କୋଭିଡ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଏହି ଅବସରରେ ନିବେଦନ କରିବା ସହ ଗହଳି ନ ଯିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅନଲକ୍ ପରେ ଦେଶର ହଟସ୍ପଟ ଅଞ୍ଚଳରୁ ବହୁ ଲୋକ ଘରକୁ ଫେରିଛନ୍ତି। କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ, ନିଷ୍ଠା ଏବଂ ଗଞ୍ଜାମର ଜନସାଧାରଣଙ୍କର ସହଯୋଗ ଯୋଗୁଁ ଗଞ୍ଜାମ ଜିଲ୍ଲା ଏହି ମହାମାରୀ ବିରୋଧରେ ସଫଳତାର ସହ ଲଢ଼େଇ ଜାରି ରଖିଛି। ଏଥିପାଇଁ ଜିଲ୍ଲା ପ୍ରଶାସନକୁ ଏବଂ ଗଞ୍ଜାମର ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ। କରୋନା ମହାମାରୀ କବଳରୁ ଲୋକମାନଙ୍କ ଜୀବନରକ୍ଷା ନିମନ୍ତେ ସରକାର ସବୁପ୍ରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସାମାଜିକ ଦୂରତ୍ୱ ନିୟମକୁ କଡାକଡି ଭାବରେ ପାଳନ କରିବାକୁ ଗୁରୁତ୍ୱ ଦେଇଥିଲେ। ଏହି ୨ ହସ୍ପିଟାଲ ଯୋଗେ କେବଳ ଗଞ୍ଜାମ ନୁହଁ ବରଂ ଗଜପତି, କନ୍ଧମାଳ ଏବଂ ଅନ୍ୟ ଜିଲ୍ଲାର କରୋନା ରୋଗୀ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ ବୋଲି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ସୂଚନାଯୋଗ୍ୟ ଆଜି ଉଦ୍ଘାଟିତ ହୋଇଥିବା ଦୁଇଟି କୋଭିଡ ହସ୍ପିଟାଲ ମଧ୍ୟରୁ ପ୍ରଥମଟି କଟକର ଅଶ୍ୱିନୀ ହସ୍ପିଟାଲ ସହାୟତାରେ ନିର୍ମିତ। ଏହି ହସ୍ପିଟାଲଟି ୧୫୦ ଶଯ୍ୟା ଓ ୨୪ ଆଇସିୟୁ ବିଶିଷ୍ଟ। ଏହି ଅବସରରେ ସେଠାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏବଂ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗଞ୍ଜାମ ଜିଲ୍ଳାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବ୍ରହ୍ମପୁର ଏମ୍‌କେସିଜି ପରିସରରେ ଶୁଭାରମ୍ଭ ହୋଇଥିବା ଦ୍ୱିତୀୟ କୋଭିଡ୍ ହସ୍ପିଟାଲରେ ୧୫୦ଟି ଶଯ୍ୟା ରହିଛି ଏବଂ ୨୪ଟି ଆଇସିୟୁର ସୁବିଧା ମଧ୍ୟ ରହିଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଅର୍ଥ ବିନିଯୋଗରେ ଗୋଳନ୍ଥରାସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲ ନିର୍ମିତ ହୋଇଛି। ଏହି ୨ଟି ହସ୍ପିଟାଲ ଯୋଗେ ଗଞ୍ଜାମ ଜିଲ୍ଲାର କରୋନା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଇପାରିବ। ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟରେ ପ୍ଲାଜ୍‌ମା ଥେରାପି କରୋନାକୁ ହଟାଇବାରେ ସଫଳ ହୋଇଥିବାରୁ ଆଗାମୀ ଦିନରେ ପ୍ଲାଜ୍‌ମା ଯୋଗେ ଚିକିତ୍ସାକୁ ଅଧିକ ଗୁୁରୁତ୍ୱ ଦିଆଯିିବ। ଯେଉଁ ବ୍ୟକ୍ତିମାନେ ଜିଲ୍ଲାରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଛନ୍ତି, ସେମାନେ ପ୍ଲାଜ୍‌ମା ଦାନ କରିବାକୁ ଆଗଭର ହୁଅନ୍ତୁୁ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ନିବେଦନ କରିଛନ୍ତି।