ରାଞ୍ଚି,ଏଜେନ୍ସି: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ବୁଧବାରଠାରୁ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କରୋନା ଆକ୍ରାନ୍ତ ହେବାପରେ ହେମନ୍ତ ସୋରେନ କ୍ୱାରେଣ୍ଟାଇନରେ ରହିଛନ୍ତି। ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଗୁପ୍ତା ମଙ୍ଗଳବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରେ ଭାଗ ନେଇଥିଲେ। କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବାର ତିନିଘଣ୍ଟା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଗୁପ୍ତାଙ୍କର କରୋନା ରିପୋର୍ଟ ପଜିଟିଭ ବୋଲି ଜଣାଡ଼ିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଦୁଇଥର କରୋନା ଯାଞ୍ଚ କରାଇ ସାରିଛନ୍ତି। ତାଙ୍କ ବାସଗୃହର ୨୦ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇସାରିଛନ୍ତି। ଚାରିଦିନ ପରେ ପୁଣିଥରେ ସେ କୋଭିଡ୍-୧୯ ଟେଷ୍ଟ କରିବେ। ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୂର୍ବରୁ ସ୍ୱଚ୍ଛତା ଏବଂ ପାନୀୟଜଳ ମନ୍ତ୍ରୀ ମିଥିଲେଶ ଠାକୁର କରୋନା ଆକ୍ରାନ୍ତ ହୋଇଥିଲେ। ଏହାଛଡ଼ା ରାଜ୍ୟର ୫ଜଣ ବିଧାୟକ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି।