ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ପରିବାରଙ୍କୁ ସାହାଯ୍ୟର ହାତ ବଢାଇଲା ଜିଲ୍ଲା ପ୍ରଶାସନ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ତେଲେଙ୍ଗାନା ରାଜ୍ୟର ସୀତାପେଟା ଗ୍ରାମକୁ କାମ କରିବାକୁ ଯାଇ କରୋନାରେ ମୃତ୍ୟୁବରଣ କରିିଥିବା ପ୍ରବାସୀ ଶ୍ରମିକଙ୍କ ପରିବାର ବର୍ଗକୁ ଆଜି ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ଏହି ଖବରପାଇ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ମାଲକାନଗିରି ବିଡିଓ ଅଜୟ କୁମାର ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଭୌମିକ, ବିପିସି ନୋଡାଲ ଅଧିକାରୀ ମନୋରଞ୍ଜନ ଦାସ ଘଟଣା ସ୍ଥଳକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା, ହରିଶଚନ୍ଦ୍ର ଯୋଜନା ବାବଦରେ ୨ ହଜାର ଟଙ୍କା, ବାସୁଦେବ ପତ୍ନିଙ୍କୁ ବିଧବା ଭତା, ଜାତୀୟ ପରିବାର କଲ୍ୟାଣ ଯୋଜନାରେ ୨୦ ହଜାର, ଜାତୀୟ ଖାଦ୍ୟ ନିରାପତା ଯୋଜନାରେ ମାସିକ ୩୫ କେଜି ଚାଉଳ ପ୍ରଦାନ କରିଛନ୍ତି।

ଏତଦବ୍ୟତୀତ ବାସୁଦେବଙ୍କ ବିଧବା ପତ୍ନିଙ୍କ ନାମରେ ଏକ ଗ୍ରାମୀଣ ଆବାସ ଯୋଜନାରେ ଏକ ବାସ ଗୃହ ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସେରପାଲ୍ଲୀ ଗ୍ରାମ ପଞ୍ଚାୟତ ପଦରାଗୁଡା ଗ୍ରାମର ୧୬ ବର୍ଷୀୟ ବାସୁଦେବ କରାମି ଦାଦନ ଖଟିବା ପାଇଁ ତେଲେଙ୍ଗାନା ରାଜ୍ୟର ସୀତାପେଟା କାମ କରିବାକୁ ଯାଇଥିଲେ। ମାତ୍ର କରୋନା ରୋଗ ପାଇଁ ଲକ୍ଡାଉନ୍ ହୋଇଯିବାରୁ ନିଜ ଘରକୁ ଆସି ପାରି ନଥିଲେ।

ତାଙ୍କର ଶରୀର ଅସୁସ୍ଥ ହେବା ପରେ ତେଲେଙ୍ଗାନାର ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ଅନୁମତି ନ ମିଳିବା ପରେ ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏହାପରେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ନିଜ ଗ୍ରାମକୁ ଆସିବା ପାଇଁ ଏକ ପୁରୁଣା ମୋଟର ସାଇକେଲ କିଣିଥିଲେ ହେଁ ଆସିବାକୁ ଅନୁମତି ମିଳିନଥିଲା। ପରେ ତାର ମୃତ୍ୟୁ ଘଟିଥିଲା। ଗତକାଲି ତାଙ୍କ ନିଜ ଗ୍ରାମ ପଦରାଗୁଡ଼ାରେ ଅନ୍ୟାଷ୍ଟିକ୍ରିୟା ସମ୍ପନ୍ନ ହୋଇଛି।