ତାଇୱାନରେ ହେଲିକାପ୍ଟର ଦୁର୍ଘଟଣା, ସେନାମୁଖ୍ୟଙ୍କ ସମେତ ୮ ମୃତ

ତାଇପେଇ,ଏଜେନ୍ସି: ଗୁରୁବାର ସକାଳେ ତାଇୱାନ ରାଜଧାନୀ ତାଇପେଇ ନିକଟ ପାର୍ବତ୍ୟାଞ୍ଚଳରେ ସେନାର ହେଲିକାପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବାୟୁସେନା ମୁଖ୍ୟଙ୍କ ସମେତ ୮ଜଣ ଯବାନ ପ୍ରାଣ ହରାଇଛନ୍ତି। ସେହିପରି ଉଦ୍ଧାରକାରୀ ଟିମ ଘଟଣାସ୍ଥଳରୁ ଅନ୍ୟ ୫ ଜଣ ଯବାନଙ୍କୁ ଉଦ୍ଧାର କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଦୁର୍ଘଟଣାଗ୍ରସ୍ତ ହେଲିକାପ୍ଟର ମୁଖ୍ୟ ଭାଗଟି ପାହାଡ଼ରେ ପିଟି ହୋଇ ଖଣ୍ଡବିଖଣ୍ଡିତ ହୋଇଯାଇଛି।

ସକାଳ ପ୍ରାୟ ୮ଟା ୨୨ ମିନିଟ୍ରେ ହେଲିକପ୍ଟର ସହ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥିଲା। ନବବର୍ଷ ପାଳନ ଅବସରରେ ତାଇୱାନର ଉତ୍ତର-ପୂର୍ବ ସୀମାନ୍ତରେ ଚାଲିଥିବା ଚୀନ୍ସେନା କାର୍ଯ୍ୟକ୍ରମ ଅନୁଧ୍ୟାନ କରିବା ପାଇଁ ତାଇୱାନ ବାୟୁସେନା ମୁଖ୍ୟ ଏୟାର୍ ଚିଫ୍ ମାର୍ଶାଲ ଶେନ୍ ୟି-ମିଙ୍ଗଙ୍କ ସମେତ ୧୩ ଜଣଙ୍କୁ ଧରି ଆମେରିକା କମ୍ପାନୀ ନିର୍ମିତ ବ୍ଲାକ୍ହକ୍ ହେଲିକପ୍ଟରଟି ଯାତ୍ରାରମ୍ଭ କରିଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ପାର୍ବତ୍ୟାଞ୍ଚଳରେ ହେଲିକପ୍ଟରଟିକୁ ଅବତରଣ କରିବା ପାଇଁ ପାଇଲଟ୍ ବାଧ୍ୟ ହୋଇଥିଲେ। ମୃତ୍ୟୁମୁଖରୁ ବାୟୁସେନା ମୁଖ୍ୟ ବର୍ତ୍ତି ଯାଇଥିବା ସମ୍ପର୍କରେ ଏକ ସମ୍ବାଦ ସଂସ୍ଥା ସୂଚନା ଦେଇଥିଲା ବେଳେ ପ୍ରତିରକ୍ଷା ମନ୍ତ୍ରଣାଳୟ ତାକୁ ନିରବତା ଅବଲମ୍ବନ କରିଛି।

ଜାନୁଆରୀ ୧୧ରେ ତାଇୱାନରେ ରାଷ୍ଟ୍ରପତି ଓ ସଂସଦର ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ। ପ୍ରତିରକ୍ଷା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ପାଇ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ୍ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଶନିବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ସହ ତାଇୱାନର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇ ନଥିଲେ ମଧ୍ୟ ୨୦୧୦ରେ ତାଇୱାନ ଆମେରିକାଠାରୁ ୬୦ଟି ବ୍ଲାକ୍ହକ୍ ହେଲିକପ୍ଟର କିଣିଥିଲା। ୨୦୧୮ରେ ତାଇୱାନର ପୂର୍ବ ଉପକୂଳରେ ଗୋଟିଏ ବ୍ଲାକ୍ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬ ଜଣ ପ୍ରାଣ ହରାଇଥିଲେ।

ସେହିବର୍ଷ ଗୋଟିଏ ଏଫ୍-୧୬ ଯୁଦ୍ଧ ବିମାନ ଦୁର୍ଘଟଣାର ଶିକାର ହେବାରୁ ପାଇଲଟଙ୍କର ମୃତ୍ୟୁ ଘଟିଥିଲା। ୨୦୧୬ରେ ତାଇୱାନ ନୌସେନା ଭୁଲବଶତଃ ଗୋଟିଏ ମତ୍ସ୍ୟଜୀବୀଙ୍କ ବୋଟ୍କୁ ରକେଟ୍ ମାଡ଼ କରିବା ଫଳରେ ଚୀନ୍ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଇୱାନକୁ ଚୀନ୍ର ଅଂଶବିଶେଷ ଦାବି କରି ଜିନ୍ପିଙ୍ଗ୍ ସରକାର ତାଇୱାନ-ଆମେରିକାର କୂଟନୈତିକ ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। କିନ୍ତୁ ଚୀନ୍ର ଦାବିକୁ ସମ୍ପୂର୍ଣ୍ଣ ଖଣ୍ଡନ କରି ତାଇୱାନ ନିଜକୁ ସ୍ୱାଧୀନ ରାଷ୍ଟ୍ର ରୂପେ ଘୋଷଣା କରିସାରିଛି।