ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ବାସ୍କେଟବଲ ଖେଳାଳି କୋବୀ ବ୍ରାଏଣ୍ଟ ଓ ତାଙ୍କ ଝିଅଙ୍କ ସମେତ ୯ ମୃତ

ଲସଏଞ୍ଜେଲ୍ସ: ବାସ୍କେଟବଲ୍‌ ଖେଳାଳି କୋବୀ ବ୍ରାଏଣ୍ଟ(୪୪) ଓ ତାଙ୍କ ୧୩ ବର୍ଷୀୟ ଝିଅ ଗିୟାନା ମାରିୟାଙ୍କ ସମେତ ୯ ଜଣ ଏକ ହେଲିକପ୍ଟର ଯୋଗେ ଲସ୍‌ ଏଞ୍ଜେଲ୍ସରୁ କାଲିଫର୍ନିଆ ଅଭିମୁଖେ ଯାଉôଥବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ବାସ୍କେଟବଲ୍‌ ଖେଳାଳିଙ୍କ ସମେତ କୋବୀଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁସାରେ, କୋବୀଙ୍କ ବ୍ୟକ୍ତିଗତ ହେଲିକପ୍ଟରରେ ସେ, ତାଙ୍କ ଝିଅ ଏବଂ ଅନ୍ୟ ୭ ଜଣ ଲସ୍‌ ଏଞ୍ଜେଲ୍ସରୁ କାଲିଫର୍ନିଆ ଅଭିମୁଖେ ଯାଉଥିଲେ। ଲସ୍‌ ଏଞ୍ଜେଲ୍ସଠାରୁ ୬୫ କିଲୋମିଟର ଦୂରରେ କାଲିଫର୍ନିଆର କୈଲାବୈସସ ନିକଟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ହେଲିକପ୍ଟରରେ କୌଣସି କାରଣରୁ ନିଆଁ ଲାଗିଯିବା ପରେ ସନ୍ତୁଳନ ହରାଇ ତାହା ପାହାଡ଼ିଆ ଅଞ୍ଚଳରେ ଖସିପଡ଼ିଥିଲା। ଘଟଣାସ୍ଥଳରେ ସମସ୍ତଙ୍କ ମୃତ୍ୟୁ ଘଟିଥିଲା।

କୋବୀ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ(ଏନବିଏ) ସହିତ ୨୦ ବର୍ଷ ଧରି ରହିବା ସହ ଏହି ସମୟରେ ସେ ୫ ଥର ଚାମ୍ପିୟନ ହୋଇଥିଲେ। ୨୦ ବର୍ଷର କ୍ୟାରିୟରରେ ସେ ଅନେକ ରେକର୍ଡ ପ୍ରତିଷ୍ଠା କରିଥିଲେ। ୨୦୧୬ରେ ସେ ଏନବିଏର ୩ୟ ବୃହତ ଅଲ୍‌ ଟାଇମ୍‌ ସ୍କୋରର୍‌ ଥିବାବେଳେ ଉକ୍ତ ବର୍ଷ ଅବସର ଗ୍ରହଣ କରିଥିଲେ। ୨୦୦୮ ଏବଂ ୨୦୧୨ ଅଲିମ୍ପିକ୍ସରେ ସେ ଆମେରିକା ଟିମ୍‌ ପାଇଁ ୨ଥର ସ୍ବର୍ଣ୍ଣ ପଦକ ଜିତିଥିଲେ।