ଫୁଲବାଣୀରେ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୨୦ ଆହତ

ଫୁଲବାଣୀ,ଏନ୍ଏନ୍ଏସ୍: ଘୂର୍ଣ୍ଣିଝଡ଼ର ତାଣ୍ଡବରେ ଆଜି ଫୁଲବାଣୀ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମାତ୍ର ୩ ମିନିଟତର ଝଡ଼ ତୋଫାନରେ ସହରର ଶତାଧିକ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହ ଅନେକ ଘର ଭାଙ୍ଗିଯାଇଛି। ପ୍ରାୟ ୨୦ରୁ ଊଦ୍ଧ୍ୱର୍ ଲୋକେ ଏହି ତାଣ୍ଡବରେ ଆହତ ହୋଇଛନ୍ତି। ଆଜି ସକାଳୁ ବର୍ଷା ଆରମ୍ଭ ହୋଇଥିବା ବେଳେ ସକାଳ ପ୍ରାୟ ୭.୪୫ରୁ ପବନ ବହିଥିଲା। ୮ଟାରୁ ପ୍ରାୟ ୩ ମିନିଟ୍ ପର୍ୟ୍ୟନ୍ତ ଖୁବ୍ ଜୋର୍ରେ ପବନ ବହିବା ସହ ସହରର ଥିବା ଶତାଧିକ ବଡ଼ ବଡ଼ ଗଛ, ଡାଳ, ଭାଙ୍ଗି ସମସ୍ତ ରାସ୍ତା ଅବରୋଧ ହୋଇଥିଲା। ମେଡିକାଲ ଛକ, ଏଜେଓ ହାଇସ୍କୁଲ ସମ୍ମୁଖ, ଏସ୍ପିଙ୍କ ଅଫିସ, ଜିଲ୍ଲାପାଳଙ୍କ ଅଫିସ୍, ଟାଉନ୍ ଥାନା ସମ୍ମୁଖ, ମାଦିକୁନ୍ଦା, କଲେଜ ଛକ, ଜିରିଙ୍ଗିପଡା ଆଦି ସ୍ଥାନମାନଙ୍କରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଥିଲା। ଫଳରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।

ଖବର ପାଇ ପୁଲିସ, ଅଗ୍ନିଶମ ବିଭାଗ, ପିଡବ୍ଲୁଡି ବିଭାଗର କର୍ମଚାରୀମାନେ ଗଛକଟା ଯନ୍ତ୍ର ଧରି ରାସ୍ତା ସଫା ଆରମ୍ଭ କରିଥିଲେ। ଟିମ୍ ହ୍ୟୁମାନିଟିର ସଦସ୍ୟମାନେ ମଧ୍ୟ ଏହି କାର୍ୟ୍ୟରେ ଯୋଗଦେଇ ରାସ୍ତା ସଫେଇରେ ସହଯୋଗ କରିଥିଲେ। ନିଜେ ଏସ୍ପି ପ୍ରତିକ୍ ସିଂ ମଧ୍ୟ ଉପସ୍ଥିତ ରହି ରାସ୍ତାରୁ ଡାଳ ବାହାର କରିଥିଲେ। ଯୁଦ୍ଧକାଳୀନ ଭିତ୍ତିରେ କାର୍ୟ୍ୟ ହୋଇ ଦିନ ୧୨ଟା ସୁଦ୍ଧା ସମସ୍ତ ରାସ୍ତା ଅବରୋଧ ହଟି ଯାତାୟାତ ସ୍ୱାଭାବିକ ହୋଇଥିଲା। ଘୂର୍ଣ୍ଣିବାତ୍ୟାରେ ସହର ମଧ୍ୟରେ ଥିବା ପ୍ରାୟ ୬୦ରୁ ଊଦ୍ଧ୍ୱର୍ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇିଛି।

ବିଦ୍ୟୁତ୍ ବିଭାଗର ପ୍ରାୟ ୧୦୦ରୁ ଊଦ୍ଧ୍ୱର୍ କର୍ମଚାରୀ ବର୍ତ୍ତମାନ ବିଦ୍ୟୁତ୍ ଖୁଣ୍ଟ ସଜାଡିବାରେ ଲାଗିଛନ୍ତି। ଏବେ ମାଟ୍ରିକ୍ ପରୀକ୍ଷା ଚାଲିଥିବାରୁ କିପରି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ ହେବ ସେ ନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଥିବା ସାଉଥ୍କୋର ନିର୍ବାହୀ ଯନ୍ତ୍ରୀ ମନୋଜ ମହାନ୍ତି ପ୍ରକାଶ କରିଛନ୍ତି। ଗଛ ପଡ଼ି ଅନେକ ଘର ଭାଙ୍ଗି ଯାଇଥିବା ବେଳେ ପ୍ରାୟ ୨୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି।

ପେଞ୍ଜି ସାହିରେ ଏକ ଏନ୍ଜିଓ ପକ୍ଷରୁ ଚାଲିଥିବା ସ୍କୁଲ ଉପରେ ଗଛ ପଡିଯିବାରୁ ସେଠାରେ ପାଠ ପଢୁଥିବା ୧୫ ଜଣ ଶିଶୁ ଓ ଶିକ୍ଷୟିତ୍ରୀ ଆହତ ହୋଇଛନ୍ତି। ସେହିପରି ପିଅନପଡ଼ାର କାଳୀମନ୍ଦିର ସାହିର ଏକ ଘର ଉପରେ ଗଛ ଭାଙ୍ଗି ପଡିବାରୁ ୨ ଜଣ ଓ ମେଡିକାଲ ଛକରେ ପରିବା ବିକ୍ରି କରୁଥିବା ବେଳେ ଗଛଡାଳ ପଡ଼ି ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଥି ସହ ଅନେକ କାର୍, ବାଇକ୍ ମଧ୍ୟ ଗଛ ପଡି ଭାଙ୍ଗି ଥିବା ସୂଚନା ମିଳିଛି। ଫୁଲବାଣୀ ତହସିଲଦାର ଦୀନମଣି ନାୟକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୨୦ଟି ଘର ଭାଙ୍ଗିଥିବା ପ୍ରାଥମିକ ରିପୋର୍ଟ ଆସିଛି।