ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ବନ୍ଦୋବସ୍ତ କରି ସେମାନଙ୍କୁ ରାଜ୍ୟକୁ ଫେରାଇ ଆଣିଥିବା ବେଳେ ସେମାନେ ରାଜ୍ୟକୁ ଆସି ସରକାରଙ୍କ ନିୟମ ଉଲଂଘନ କରି କ୍ୱାରେଣ୍ଟାଇନ ହୋମରୁ ଫେରାର ହୋଇଯାଉଛନ୍ତି। ତେବେ ପ୍ରବାସୀମାନେ ସଂଗରୋଧ ଗୃହରୁ ବାରମ୍ବାର ଫେରାର ହୋଇଯାଉଥିବା ଘଟଣା ସାମ୍ନାକୁ ଆସିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂଗରୋଧ ଗୃହରେ କଡ଼ା ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସହ ଏକ ଚିଠି ଲେଖିଛନ୍ତି।
ସୂଚନା ଅନୁସାରେ ରାଜ୍ୟର ଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ବାରମ୍ବାର ସଂଗରୋଧ ଗୃହରୁ ଫେରାର ହୋଇଯାଉଛନ୍ତି। ଫଳରେ ସାଧାରଣରେ ଆତଙ୍କ ସୃଷ୍ଟି ହେଉଛି। ସେହିପରି ସଂଗରୋଧ ଗୃହମାନଙ୍କରେ ସିକ୍ୟୁରିଟି ବ୍ୟବସ୍ଥା ଢ଼ିଲା ଥିବାରୁ ଏପରି ହେଉଛି। ତେଣୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ରାଜ୍ୟ ସରକାରଙ୍କ ନିକଟରେ ସଂଗରୋଧ ଗୃହରେ କଡା ସିକ୍ୟୁରିଟି ବ୍ୟବସ୍ଥା କରିବାକୁ କହିଛନ୍ତି। ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି। ବିଶେଷ କରି ଗ୍ରାମୀଣ ସଂଗରୋଧ ଗୃହମାନଙ୍କରୁ ପ୍ରବାସୀ ମାନେ ଫେରାର ହୋଇଯାଉଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ଶ୍ରୀ ଷଡ଼ଙ୍ଗୀ ସଂଗରୋଧ ଗୃହ ମାନଙ୍କରେ ହୋଇଥିବା ଖାଦ୍ୟ ବ୍ୟବସ୍ଥା ଓ ସାନିଟାଇଜେସନର ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।