ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜିଠାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଶୁକ୍ରବାର ସକାଳୁ ରାଜ୍ୟାର ଅନେକ ସ୍ଥାନରେ ଝିପିଝିପି ବର୍ଷା ହେଉଥିବାର ଦେଖାଯାଇଛି। ଏହି ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି ।
ମୟୂରଭଞ୍ଜ, ଭଦ୍ରକ ଓ ଢେଙ୍କାନାଳର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଗାମୀ ୨ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଏପରି ଅବସ୍ଥା ଲାଗି ରହିବ। ଏହା ସହିତ କୂଆପଥର ବର୍ଷା ହେବାର ସମ୍ଭାବନା ରହିଛି । ରାଜସ୍ଥାନରୁ ଛତିଶଗଡ ଉପର ଦେଇ ଯାଇଥିବା ଟ୍ରପଲାଇନ ପ୍ରଭାବରେ ଏହି ବର୍ଷା ହେଉଛି । ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇବ ଓ ଫଳରେ ଥଣ୍ଡା ଟିକେ କମ୍ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ରୁ ୪ ଦିନ ପର୍ୟ୍ୟନ୍ତ ଥଣ୍ଡା କମିବ । ତେବେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି ।