ପ୍ରବଳ ବର୍ଷିବ, ଭସାଣୀରେ ଭିଜିବେ ମା’

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମବଙ୍ଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବୁଧବାର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର(ଆଇଏମଡି) ପୂର୍ବାନୁମାନ କରିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଓଡିଶାରେ ଅଧିକାଂଶ ସ୍ଥାନରେ ବର୍ଷା ସହିତ ଘଡଘଡି ହେବାର ସୂଚନା ଦିଆଯାଇଛି । ତେବେ ଏହି ବର୍ଷା ମାଙ୍କ ଭସାଣୀ ଉତ୍ସବକୁ ପ୍ରଭାବିତ କରିବ ।

ତେବେ କେଉଁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି । ଆଇଏମଡି ପକ୍ଷରୁ ୧୯ ଜିଲ୍ଲାକୁ ୟେଲା ୱାର୍ଣ୍ଣିଂ ଦିଆଯାଇଛି । ସେହି ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଚ, କେଉଁଝର, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେଓଗଡ, ବରଗଡ, ବାଲେଶ୍ୱର, ଢ଼େଙ୍କାନାଳ, ଅନୁଗୁଳ, ଭଦ୍ରକ, କଟକ, ନୟାଗଡ, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, କୋରାପୁଟ, କନ୍ଧମାଳ ଓ କଳାହାଣ୍ଡି ।

ବୁଧବାର ଦୁର୍ଗା ମାଙ୍କ ଭସାଣୀ ଉତ୍ସବ ଥିବାରୁ ମେଲାଣୀ ସମୟରେ ବଷା ହେବାର ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର ବିଜୟା ଦଶମୀରେ ଦକ୍ଷିଣ ଓଡିଶାର ଅନେକ ସ୍ଥାନରେ ବର୍ଷା ହୋଇଛି । ବିଶେଷ କରି କେଉଁଝର ଓ ସୁନ୍ଦରଗଡର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ନେଇ ଆଇଏମଡି କହିଛି ।