୩ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ତିନି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ବୁଧବାର କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ହେବାର ସମ୍ବାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ବର୍ଷାର ପରିମାଣକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ନୟାଗଡ଼, ଖୋର୍ଦ୍ଧା, ଜଗତସିଂପୁର, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼ ଓ କଟକ ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିବେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ସୂଚନା ଦେଇଛନ୍ତି।

ଏଥିପାଇଁ ତିନି ଦିନ ପର୍ଯ୍ୟନ୍ତ ଦକ୍ଷିଣ-ପଶ୍ଚିମ ଓଡ଼ିଶା ସମେତ ଉପକୂଳର କିଛି ଜିଲ୍ଲା ପାଇଁ ବର୍ଷା ଜନିତ ସତର୍କ ସୂଚନା ଜାରି କରାଯାଇଛି। ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଥିବାବେଳେ ୬ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସି କିଛି ପରିମାଣରେ ବର୍ଷା କମିବ ବୋଲି ସୂଚନା ଦିଆଯାଇଛି।

ସେହିପରି ପାଣିପାଗ ବିଶେଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ଲଘୁଚାପ ପ୍ରଭାବରେ ସୋମବାର ରାତି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲାରେ ସର୍ବାଧିକ ୧୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୮.୭ ଓ କୋରାପୁଟରେ ୪୦.୨ ମିମି ବର୍ଷା ହୋଇଛି। ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ପବନର ବେଗ ବୃଦ୍ଧି ପାଇ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିପାରେ।

ତେଣୁ ଉପକୂଳ ଓଡ଼ିଶା ସମେତ, ପଶ୍ଚିମ କେନ୍ଦ୍ରିୟ ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗର ସମୁଦ୍ର ଆଶନ୍ତ ରହିବ। ତେଣୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।