ଉପକୂଳରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ ଅଧିକ ଘନିଭୂତ ହୋଇ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ରହିଛି। ଏହା ପ୍ରଭାବରେ ରାଜ୍ୟରେ ରବିବାର ରାତିଠାରୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ସୋମବାର ଦିନ ତମାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଏହି ବର୍ଷା ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ମଙ୍ଗଳବାର ଦିନ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୂମାନ କରାଯାଇଛି। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଗଞ୍ଜାମ, ପୁରୀ, ଜଗତସିଂପୁର ଓ ଖୋର୍ଦ୍ଧା ଜିଲ୍ଲାପାଇଁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଥିବା ବେଳେ ୨୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ ଓ ଢେଙ୍କାନାଳରେ ପ୍ରଭଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେପଟେ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ ଘୁର୍ଣ୍ଣିବଳୟଟି ଏହା ପରେ ପଶ୍ଚିମ ଉପକୂଳ ଆଡ଼କୁ ଗତି କରିବାର ସମ୍ଭାବନା ରହିଥିବାରୁ ମଙ୍ଗଳବାର ଦିନ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ୨୪ ତାରିଖରେ ଉପକୂଳ ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ବର୍ଷାର ପ୍ରକୋପ ବଢ଼ିବ। ଏଥିରେ କେନ୍ଦ୍ରାପଡ଼ା, ଜଗତସିଂପୁର, ଯାଜପୁର, ଭଦ୍ରକ, ସମେତ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ସେହିପରି ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବା ସହିତ ଉତ୍ତର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିବ। ଏଥିରେ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୨୬ ଓ ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।

ସେହିପରି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି ଯେ ଆରବ ସାଗରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ହିକ୍କା’ ପ୍ରଭାବରେ ପବନର ବେଗ ଅଧିକ ରହିଛି। ଏହି ପବନ ପ୍ରଭାବରେ ବଙ୍ଗୋପସାଗର ଉପକୂଳ ଅଞ୍ଚଳରେ ବର୍ଷା ହେବ। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ବର୍ଷା ଜାରି ରହିବ ବୋଲି ଶ୍ରୀ ସାହୁ କହିଛନ୍ତି। ସୋମବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।