୧୯ରୁ ୨୦ ପ୍ରବଳ ବର୍ଷିବ, ୧୮ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ରାଜ୍ୟକୁ ପୁଣିଥରେ ତାତି ଫେରିବ। ପୁଣି ଥରେ ରାଜସ୍ଥାନୀ ପଶ୍ଚିମା ପବନ ବିନା ବାଧାରେ ରାଜ୍ୟକୁ ବହିବା ଆରମ୍ଭ ହେବ। ଆସନ୍ତା ୩ ଦିନ ଯାଏ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠୁ ୪ ଡିଗ୍ରୀ ଯାଏ ଅଧିକ ରହିବ। ଗତ ୨ ଦିନ ହେଲା ୪୦ ଡିଗ୍ରି ତଳକୁ ଖସିଥିବା ତାପମାତ୍ରା ପୁଣିଥରେ ୪୨ ଛୁଇଁବ। ଏହି ମଧ୍ୟରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଥିବାବେଳେ ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

୧୯ ତାରିଖ ଅପରାହ୍ଣକୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ସେହିପରି ୨୦ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝରରେ ଝଡ଼ ବର୍ଷାର ସମ୍ଭାବନା ରହିଛି। ଉପରୋକ୍ତ ୨ ଦିନରେ ମୋଟ ୧୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରି ହେବା ସହ ସତର୍କ ରହିବାକୁ କୁହାଯାଇଛି। ଶନିବାର ରାଜ୍ୟର ୪ ସହରରେ ପାରଦ ୪୦ ଡିଗ୍ରୀ ତଥା ତା’ଠୁ ଉପରେ ରହିଥିବାବେଳେ ଟିଟଲାଗଡ଼ରେ ସର୍ବାଧିକ ୪୦.୬ ଡିଗ୍ରୀ ରେକର୍ଡ କରାଯାଇଛି।