ଦେବଗଡ଼ରେ ଗତ ୧୫ ଘଣ୍ଟା ମଧ୍ୟରେ ୨୯୪ ମି.ମି ବର୍ଷା ରେକର୍ଡ, ଘରକାନ୍ଥ ଭୁଶୁଡି ମହିଳା ଗୁରୁତର

ଦେବଗଡ଼,ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟା ଧରି ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜରୁରୀ କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୮ଟା ମଧ୍ୟରେ ଜିଲ୍ଲାରେ ୨୯୩.୨୦ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଲଗାତର ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ ଚାଷ ଜମି ବର୍ଷାପାଣିରେ ବୁଡି ରହିଥିବା ବେଳେ ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ବାରକୋଟ ବ୍ଲକ୍ କାଳିଆପାଳ ପଞ୍ଚାୟତ ଅନ୍ତର୍ଗତ ଜାଲିସୁଆଁ ଗ୍ରାମ ଦେଇ ଯାଇଥିବା ମତୁଆଳି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହେବାରୁ ଉକ୍ତ ପଞ୍ଚାୟତର ଜାଲିସୁଆଁ, ବୁଢାଡିହ, ବୁଢାଭୂଇଁ, ଗାଡିଆ, ଜାମୁଡିହି ଓ ମାଦଲିଆ ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ରିଆମାଳ ବ୍ଲକ୍ ଚଢେଇମରା ପଞ୍ଚାୟତ ଅନ୍ତର୍ଗତ ଝରାବେରଣୀ, ଖୀଲବେରଣୀ, ତିଲେଇପଶି ଆଦି ଗ୍ରାମରେ ବର୍ଷା ଯୋଗୁଁ ବହୁ ଚାଷ ଜମି ଜଳମଗ୍ନ ହେବା ସହ ବାଳିଚର ହୋଇପଡିଥିବା ଜଣାପଡିଛି।

ଅନ୍ୟପଟେ ଝରାବେରଣୀ ଗ୍ରାମର ପ୍ରମୋଦ ପାତ୍ରଙ୍କ ମାଟି ଘର ଭୁଶୁଡି ଯିବାରୁ ପ୍ରମୋଦଙ୍କ ପତ୍ନି ମଲ୍ଲି ଗୁରୁତର ହୋଇଛନ୍ତି। ସେହିପରି ଉକ୍ତ ଗାଁର ଅନ୍ତର୍ଯ୍ୟାମି ପାତ୍ରଙ୍କ ଘର କାନ୍ଥ ଭୁଶୁଡି ପଡିଥିବା ଜଣାପଡିଛି। ସେହିପରି ବାରକୋଟ ବ୍ଲକ୍ ଅନ୍ତର୍ଗତ ଦନ୍ତାରିବାହାଲ ପଞ୍ଚାୟତ କୁସମକଟା ଗ୍ରାମର ସୁରେଶ ଅମାତଙ୍କ ମାଟି ଘର ବର୍ଷାପାଣିରେ ଭିଜି ଭାଙ୍ଗି ପଡିଥିବା ଜଣାପଡିଛି। ସେହିପରି ଦେବଗଡ଼ ପୌରାଞ୍ଚଳର ୫ନଂ ୱାର୍ଡରେ ଡ୍ରେନ ପାଣି ୱାର୍ଡବାସୀଙ୍କ ଘରେ ପଶୁଥିବା ଜଣାପଡିଛି।