ନୟାଗଡ଼ରେ ଲଗାଣ ବର୍ଷା, ନାଳ ସ୍ରୋତରେ ପଡ଼ି ଜଣେ ମୃତ

ନୟାଗଡ଼/ଓଡ଼ଗାଁ,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲାରେ ଲଗାଣ ବର୍ଷା ହେଉଥିବା ବେଳେ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ଏଥିରେ ଜଣେ ଯୁବକ ପଡ଼ି ତା’ର ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ପଞ୍ଚାୟତ ଗୁଆଁଦ ଗାଁରେ ଏଭଳି ଅଘଟଣ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ଉକ୍ତ ଗାଁ’ର ଗଣେଶ ନାୟକ(୪୫ )। ସୂଚନା ଅନୁଯାୟୀ ଗଣେଶ ଶୌଚ ହେବାକୁ ନାଳକୁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ନାଳରେ ବୁଡ଼ି ଯାଇଥିଲେ। ସମ୍ପ୍ରତି ଲଗାଣ ବର୍ଷାରେ ନାଳରେ ଜଳସ୍ରୋତ ପ୍ରଖର ଥିବାରୁ ସେ ଉଠି ପାରିନଥିଲେ।

ସ୍ଥାନୀୟ ଲୋକମାନେ ଦେଖି ସେଠାରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗଣେଶଙ୍କ ମୁତ୍ୟୁକୁ ନେଇ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।