ସୁନାଥର ଗାଁ’ରେ ଭୟାବହ ଅଗ୍ନିକାଣ୍ଡ, ୩୦ ପରିବାରର ୫୦ ବଖରା ପେଡ଼ିଗଲା

ପୁରୁଷୋତ୍ତମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ ସୁନାଥର ଗ୍ରାମରେ ସୋମବାର ଭୋରରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୦ ପରିବାରର ୫୦ରୁ ଊର୍ଦ୍ଧ ବଖରା ଘର ଜଳି ପାଉଁଶ ହୋଇଯାଇଛି। ଏଥିସହ ଘର ଭିତରେ ଥିବା ଧାନ, ଚାଉଳ, ମୁଗ, ବିରି ସହ ଆସବାବପତ୍ରମାନ ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଖବରପାଇ ପୁରୁଷୋତ୍ତମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଅଗ୍ନିକାଣ୍ଡରେ ଘର ଓ ଆସବାବପତ୍ରମାନ ପୋଡି ଯାଇଛି।

ତେବେ ଏଥିରେ କେହି ଆହତ ହୋଇନଥିବା ବେଳେ ପରିବାର ମାନଙ୍କୁ ବହୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି। ଏ ନେଇ ସୁନାଥର ପଞ୍ଚାୟତ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଚାଲିଛି। ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ ପହଞ୍ଚି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରି କ୍ଷୟକ୍ଷତିର ଆକଳନ ଲାଗି ଆର୍‌ଆଇଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ଷତିଗ୍ରସ୍ତ ପରିବାର ଗୁଡିକ ହେଲେ ପରବାସି ନାହାକ, ଜମୁନା ନାହାକ, ଶୋଭା ନାୟକ, କୁନି ବେହେରା, ସଙ୍ଗିତା ମହାଙ୍କୁଡ, ଲିଙ୍ଗରାଜ ନାୟକ, ସୁଜନ୍ତି ନାୟକ, ରାଜୁ ବେହେରା, ମନୋଜ ବେହେରା, ସୁରୁଜ ନାହାକ, କାଞ୍ଚନ ନାୟକ, ଝୁନୁ ନାହାକ, ଗିତା ନାହାକ, ବିପ୍ର ମଳିକ, ଫକିର ମଳିକ, ପିତାମ୍ବର ମଳିକ, କଳା ମଳିକ, ଶିବରାମ ମଳିକ, ବାବୁଲି ମଳିକ, ଦେବରାଜ ମଳିକ, ବିଜୟ ମଳିକ, ବିପ୍ର ସେଠୀ, ଲକ୍ଷ୍ମୀ ସେଠୀ, ଦଣ୍ଡାସି ନାହାକ ଏବଂ ରାଜୁ ମହାଙ୍କୁଡ। ଏହି ପରିବାରଗୁଡିକ ସମ୍ପୁର୍ଣ୍ଣ ବେସାହାରା ହୋଇ ପଡିଥିବା ହେତୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପୂର୍ବତନ ସମିତି ସଭ୍ୟ ଭୀମ ନାହାକଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି ।