କ୍ରଲିଙ୍କ ମଜଭୁତ ବ୍ୟାଟିଂ: ଇଂଲଣ୍ଡର ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ୍,ଏଜେନ୍ସି: କରୋନା ପରବର୍ତ୍ତୀ ପ୍ରଥମ ଟେଷ୍ଟ୍ରେ ଘରୋଇ ଇଂଲଣ୍ଡ ଦଳ ପ୍ରଥମ ତିନି ଦିନ ତୁଳନାରେ ଚତୁର୍ଥ ଦିନରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରିପାରିଛି। ପ୍ରଥମ ଇନିଂସରେ ଦଳ ମାତ୍ର ୨୦୪ ରନ୍ରେ ଅଲ୍ଆଉଟ୍ ହେବା ଫଳରେ ୱେଷ୍ଟଇଣ୍ଡିଜ୍ ୧୧୪ ରନରେ ଆଗୁଆ ରହିଥିଲା। କିନ୍ତୁ ଚତୁର୍ଥ ଦିନରେ ଶନିବାର ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ ମଜଭୁତ ବ୍ୟାଟିଂ କରି ଦଳକୁ ମ୍ୟାଚକୁ ଫେରାଇ ଆଣିଛନ୍ତି।

ବିଶେଷକରି ଜ୍ୟାକ୍ କ୍ରଲି ଚମତ୍କାର ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିବା ପରେ କାମଚଳା ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ସହ ଏକ ବଡ଼ ଭାଗୀଦାରୀ କରିଥିଲେ। ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ୧୦୪ ଓଭରରେ ୮ ୱିକେଟ୍ ହରାଇ ୨୮୪ ରନ୍ କରିଛି। ଖେଳ ଶେଷ ବେଳକୁ ଜୋଫ୍ରା ଆର୍ଚର୍ ୫ ଓ ମାର୍କ ଉଡ୍ ୧ ରନ୍ କରି ଅପରାଜିତ ଅଛନ୍ତି। ପୂର୍ବରୁ ଦୁଇ ଓପନର ପ୍ରଥମ ୱିକେଟରେ ୭୨ ରନ୍ ଯୋଡ଼ି ଦ୍ୱିତୀୟ ଇନିଂସରେ ଦୃଢ଼ ମୂଳଦୁଆ ପକାଇଥିଲେ।

ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୦ ଓଭରରେ ବିନା କ୍ଷତିରେ ୧୫ ରନ୍ କରିଥିବା ଇଂଲଣ୍ଡ ପକ୍ଷରୁ ଚତୁର୍ଥ ଦିନର ଖେଳ ଦୁଇ ଓପନର ରୋରି ବର୍ଣ୍ଣସ ଓ ଡୋମିନିକ୍ ସିବଲି ଏହିଠାରୁ ଆରମ୍ଭ କରିଥିଲେ। ଉଭୟ ବେଶ୍ ବୁଝାମଣାପୂର୍ବକ ବ୍ୟାଟିଂ କରି ଦଳୀୟ ସ୍କୋର୍କୁ ଆଗକୁ ବଢ଼ାଇଥିଲେ। ତେବେ ମଧ୍ୟାହ୍ନଭୋଜନ ବିରତିର କେଇ ମିନିଟ୍ ପୂର୍ବରୁ ବର୍ଣ୍ଣସ ୫ ଚୌକା ସହ ୪୨ ରନ୍ କରି ସିବଲିଙ୍କ ହାତ ଛାଡ଼ିଥିଲେ। ରୋଷ୍ଟନ୍ ଚେଜ୍ ଏହି ଯୋଡ଼ି ଭାଙ୍ଗିବା ପରେ ସିବଲିଙ୍କ ସହ ଯୋଗଦେଇଥିବା ଜୋଏ ଡେନ୍ଲି ୨୯ ରନ୍ କରିବା ସହ ୪୧ ରନ୍ ଯୋଡ଼ିଥିଲେ। ତେବେ ଚେଜ୍ ତାଙ୍କର ଲଗାତାର ଦ୍ୱିତୀୟ ସଫଳତା ପାଇବାରୁ ଡେନ୍ଲି ବିଦାୟ ନେଇଥିଲେ। କିନ୍ତୁ ତୃତୀୟ ୱିକେଟ୍ ପାଇଁ କ୍ରଲିଙ୍କ ସହ ୩୮ ରନ୍ ଯୋଡ଼ିବା ପରେ ୪ ଚୌକା ସହ ୫୦ ରନ୍ କରି ସିବଲି ବିଦାୟ ନେଇଥିଲେ।

ପ୍ରଥମ ଇନିଂସରେ ୪ଟି ୱିକେଟ୍ ନେଇଥିବା ଶେନନ୍ ଗାବ୍ରିଏଲ୍ ତାଙ୍କୁ ପ୍ୟାଭିଲିଅନ୍ ଫେରାଇଥିଲେ। ସିବଲିଙ୍କ ସ୍ଥାନରେ କ୍ରଲିଙ୍କୁ ସହଯୋଗ କରିବାକୁ ଆସିଥିବା ଷ୍ଟୋକ୍ସ ମଜଭୁତ ପାର୍ଟନରଶିପ୍ ଗଢ଼ିଥିଲେ। କ୍ରଲି ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ସହ ସେମାନଙ୍କ ମଧ୍ୟରେ ୯୮ ରନର ଭାଗୀଦାରୀ ହୋଇଥିଲା। ତେବେ ଷ୍ଟୋକ୍ସ ୬ଟି ଚୌକା ସହ ୪୬ ରନର ଇନିଂସରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ ପ୍ରତିପକ୍ଷ ଦଳର ଅଧିନାୟକ ଜେସନ୍ ହୋଲଡର୍। ଏଥିସହ ପ୍ରଥମ ଇନିଂସରେ ବି ଷ୍ଟୋକ୍ସଙ୍କୁ ଆଉଟ୍ କରିଥିବା ହୋଲଡର୍ ଦ୍ୱିତୀୟ ସର୍ବାଧିକ ଥର ପ୍ରତିପକ୍ଷ ଅଧିନାୟକଙ୍କୁ ଆଉଟ୍ କରିବାର ସଫଳତା ପାଇଛନ୍ତି। ଏହି ତାଲିକାର ସବା ଉପରେ ରିଚି ବେନଉଡ୍ (୧୮ ଥର) ରହିଥିବା ବେଳେ ଇମ୍ରାନ୍ ଖାନଙ୍କ ସହ ହୋଲଡର୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଷ୍ଟୋକ୍ସଙ୍କ ପରେ ପରେ କ୍ରଲି ୮ ଚୌକା ସହ ୭୬, ଜୋସ୍ ବଟଲର୍ ୯, ଡୋମିନିକ୍ ବେସ୍ ୩ ଓ ଓଲି ପୋପ୍ ୧୨ ରନ୍ କରି ଆଉଟ୍ ହୋଇଥିଲେ। ଇଣ୍ଡିଜ୍ ପକ୍ଷରୁ ଗାବ୍ରିଏଲ୍ ୩ଟି ଏବଂ ଚେଜ୍ ଓ ଆଲଜାରି ଯୋସେଫ୍ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି।