ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ରେ ନିଶା ମୁକ୍ତି ଅଭିଯାନ ଜାରି ରହିଛି । ଏଭଳି ସ୍ଥିତିରେ ଅବକାରୀ ଅଧିକ୍ଷକ ସୁବନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରୁ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ କରାଯାଇଛି । ଏହି ସମୟରେ ୨ଜଣ ପୁରୁଷ ଅଭିଯୁକ୍ତ ଫେରାର ହୋଇଯାଇଥିବାବେଳେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ମଞ୍ଜୁଲତା ମହାରଣା ।
ମିଳିଥିବା ରିପୋର୍ଟ ମୁତାବକ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ପୌରାଞ୍ଚଳର ୧ ନମ୍ବର ୱାର୍ଡ ଅନ୍ତର୍ଗତ ବ୍ରହ୍ମନଗର ଡାକ୍ତର ମହାରଣା ଘରେ ଚଢ଼ଉ କରି ୫୦୫ କେଜି ଗଞ୍ଜେଇ ଜବତ କରାଯାଇ ଥିବାବେଳେ ତାଙ୍କଠାରୁ ନେଇଥିବା ଘୁଲିପାଲିର ଦିଲ୍ଲୀପ ସିଂ ଘରୁ ୪୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଫଳରେ ସମୁଦାୟ ୫୫୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ଅବକାରୀ ବିଭାଗ ୨ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ଚଢ଼ଉ ବେଳେ ଗିରଫ ଅଭିଯୁକ୍ତ ମଞ୍ଜୁଲତା ମହାରଣାଙ୍କ ସ୍ୱାମୀ ଡାକ୍ତର ମହାରଣା ଓ ଦିଲ୍ଲୀପ ସିଂ ଫେରାର ହୋଇଯାଇଥିବା ନେଇ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।