ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ ଚଳିତ ବର୍ଷ ଜାନୁଆରୀରେ ବଡ଼ ଧରଣର ଦୁର୍ଘଟଣାର ଶିକାର ହୋଇଥିଲେ । ଉକ୍ତ ଦୁର୍ଘଟଣାରେ ଋଷଭ ଗମ୍ଭୀର ଭାବେ ଆହତ ହୋଇଥିଲେ । ଋଷଭ ବର୍ତ୍ତମାନ ସୁଧା ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇନାହାନ୍ତି । କିନ୍ତୁ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ୱାର୍ଲ୍ଡକପରେ ଋଷଭ ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବଡ଼ ଅପଡେଟ ସାମ୍ନାକୁ ଆସିଛି ।
ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ(ଡିଡିସିଏ) ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି ଯେ, ଋଷଭ ପନ୍ତ ବାଙ୍ଗାଲୁରୁସ୍ଥିତ ନ୍ୟାସନାଲ କ୍ରିକେଟ ଆକାଡେମୀ(ଏନସିଏ)ରେ ଆଘାତରୁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ଉପରେ ଧ୍ୟାନ ଦେଉଛନ୍ତି । ୱାଲ୍ଡକପ୍ ପୂର୍ବରୁ ପନ୍ତ ସମ୍ପୂର୍ଣ୍ଣ ରୂପେ ଠିକ୍ ହେବା ଅସମ୍ଭବ । ସେ ସମ୍ପୂର୍ଣ୍ଣ ଭାବେ ଫିଟ୍ ହେବା ପରେ ହିଁ ଏନସିଏରୁ ବାହାରିବେ ।