ଦେଶରେ ପୁଣି ଉପରମୁହାଁ କୋରୋନା, ୮ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । କିନ୍ତୁ ଗତ କିଛି ଦିନ ହେବ ସଂକ୍ରମଣ ମାମଲା ୧୦ ହଜାର ଉପରେ ରହୁଛି । ଯାହାକି କେନ୍ଦ୍ର ସରାକାରଙ୍କ ପାଇଁ ଏକ ପ୍ରକାର ଚିନ୍ତାର ବିଷୟ ପାଲଟିଛି । ଏହାରି ଭିତରେ କେନ୍ଦ୍ର ସରକାର ୮ ରାଜ୍ୟକୁ ଚିଠି ଲେଖିଛନ୍ତି । ଏହି ରାଜ୍ୟମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଥିବାରୁ ନଜର ରଖିବାକୁ ଚିଠିରେ ପରାମର୍ଶ ଦିଆଯାଇଛି ।

ଉତ୍ତରପ୍ରଦେଶ, ତାମିଲମାଡୁ, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ହରିୟାଣା ଏହଂ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତାଳ ଦେଇ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତେଣୁ କେନ୍ଦ୍ର ପକ୍ଷରୁ ଆଗୁଆ ଚିଠି ଲେଖି ସତର୍କ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଲେଖିଥିବା ଚିଠିରେ ଏହା କୁହାଯାଇଛି ଯେ, ବର୍ତ୍ତମାନ ସୁଦ୍ଧା ମହାମାରୀ ସରିନି । ମାର୍ଚ୍ଚ ମାସରୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ସଂକ୍ରମଣ ହାରରେ ମଧ୍ୟ ବୃଦ୍ଧି ଘଟିଛି ।

ଏପ୍ରିଲ ୧୯ ସଂକ୍ରମିତ ହାର ୫.୫ ପ୍ରତିଶତ ଥିବାବେଳେ ପୂର୍ବ ସପ୍ତାହରେ ଏହା ୪.୭ ପ୍ରତିଶତ ଥିଲା । ତେଣୁ କୌଣସି ବି ସ୍ଥିତିରେ ହେଳା କରିବା ଠିକ ନୁହେଁ । ସଂକ୍ରମଣ ବଢୁଥିବାରୁ ଅଧିକ ସତର୍କ ରହିବାକୁ ହେବ । ଯଦିଓ ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟା କମ୍ ରହିଛି, ତଥାପି ସତର୍କ ରହିବା ଆବଶ୍ୟକ । ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ସହ ପଦକ୍ଷେପ ନେବା ଆବଶ୍ୟକ ।”