କରୋନାକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଦେଶରେ କରୋନା ଭାଇରସକୁ ନେଇ କୌଣସି ପ୍ରକାର ଚିନ୍ତାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ । କୋବିଡ-୨୦୧୯ ରୋଗକୁ ନେଇ ଗଠିତ କେନ୍ଦ୍ରୀୟ ମନ୍ତ୍ରୀସମୂହର ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନାବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଏହା କହିଛନ୍ତି ।

ଏହି ବୈଠକରେ କୁହାଯାଇଛି ଯେ, ବିଦେଶ ମନ୍ତ୍ରାଳୟର ସହାୟତାରେ ମେଡ଼ିକାଲ ଉପକରଣ ଓ ଅନ୍ୟ ଜିନିଷପତ୍ର ଚିନକୁ ପଠାଇଛି । ବୈଠକରେ ସୂଚନା ଦିଆଯାଇଥିଲା ଯେ, ବର୍ତମାନ ଯାଏ ୨୩୧୫ ଫ୍ଲାଇଟ୍‌ରେ ମୋଟ୍ ୨୪୯୪୪୭ଜଣଙ୍କର ସ୍କ୍ରିନିଂ କରାଯାଇଛି । ଏହାବ୍ୟତୀତ ଚୀନ, ହକଂ, ସିଙ୍ଗାପୁର, ଥାଇଲାଣ୍ଡ ଓ ଏବେ ଜାପାନ ଓ ଦକ୍ଷିଣ କୋରିଆରୁ ଆସୁଥିବା ଯାତ୍ରୀମାନଙ୍କୁ ମଧ୍ୟ ସ୍କ୍ରିନିଂ କରାଯିବାର ବ୍ୟବସ୍ଥା କରାଯାଇଛି । ଦେଶରେ ମୋଟ ୧୫୯୯୧ ଜଣ ଲୋକଙ୍କୁ ଚିକିତ୍ସିୟ ତଦାରଖରେ ରଖାଯାଇଛି । ବର୍ତମାନ ସୁଦ୍ଧା ଦେଶରେ ମୋଟ ୧୬୭୧ ଜଣଙ୍କର ନମୂନା ନିଆଯାଇଛି ।

ବୈଠକରେ ଏହା ମଧ୍ୟ ସୂଚନା ଦିଆଯାଇଥିଲା ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାଶିତ ପ୍ରଦେଶରେ ପ୍ରତିଦିନ ଏହାକୁ ନେଇ ସମୀକ୍ଷା ବୈଠକ ଆୟୋଜିତ କରାଯାଉଛି । ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରି, ଜାହାଜ ଚଳାଚଳ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାବିଆ, ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତ ଥିଲେ ।