କେନ୍ଦ୍ରର ନିର୍ଦ୍ଦେଶ ପରେ ଶୀଘ୍ର ଆରମ୍ଭ ହେବ ଟିକାକରଣ

ସହରରୁ ଉପାନ୍ତ ସବୁଠି ପହଞ୍ଚିବ ଟିକା

ଝାରସୁଗୁଡ଼ା,ଏନ୍ଏନ୍ଏସ୍:  କରୋନା ଟିକାର ବଣ୍ଟନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଆଜି ଆଲୋଚନା କରିଛନ୍ତି। ଏହି ଆଲୋଚନାରେ ପ୍ରଥମ ପର୍ଯ୍ୟାୟ ଟିକାକରଣ କେବେଠାରୁ ଆରମ୍ଭ କରାଯିବ, ୫୦ରୁ ଊର୍ଦ୍ଧ ବୟସ୍କ ଲୋକଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ କେବେ ଟିକାକରଣ କରାଯିବ ଏବଂ ସେମାନଙ୍କର ରେଜିଷ୍ଟ୍ରେସନ କେବେ ଆରମ୍ଭ କରାଯିବ, କରୋନା ଟିକା କିଭଳି ସହରରୁ ଉପାନ୍ତ ସବୁ ଅଞ୍ଚଳକୁ ପହଞ୍ଚି ପାରିବ, ଟିକାର ଷ୍ଟୋରେଜ ଓ ବିତରଣ କିପରି ସୁଲଭ ଭାବରେ ହୋଇ ପାରିବ, ସମସ୍ତଙ୍କୁ କିପରି ଭାବରେ ଟିକା ପ୍ରଦାନ କରାଯାଇ ପାରିବ ସେନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ  ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ଜାନୁଆରୀ ୮ରେ ସାରା ଦେଶରେ ପୁଣିଥରେ ହେବାକୁ ଥିବା କରୋନା ଟିକାର ଦ୍ୱିତୀୟ ଡ୍ରାଏ ରନ୍ ଉପରେ ମଧ୍ୟ ବୈଠକରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଦ୍ୱୀତିୟ ଡ୍ରାଇ ରନ୍ ପାଇଁ ଓଡିଶା ସରକାର ସମସ୍ତ ପ୍ରସ୍ତୁତି କରି ସାରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।
ତେବେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୮ ହଜାର ୫ଶହ ୬୦ ଜଣ କୋଭିଡ ଯୋଦ୍ଧା (ଫ୍ରଣ୍ଟ ଲାଇନ ଓାରିୟର)ଙ୍କୁ ଟିକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଛନ୍ତି। ଏଥିପାଇଁ ୨୯ହଜାର ୨୭୬ଟି ସେଣ୍ଟର ଚିହ୍ନଟ କରାଯାଇଛି। ଏହି ଟିକା ପ୍ରଦାନ କରିବାକୁ ୮ହଜାର ୨୬୬ ଜଣ ଭେକ୍ସିନେଟର ବଛାଯିବା ସହିତ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି  ଟିକା ରଖିବା ପାଇଁ ୧୨ଶହ ୨୨ଟି କୋଲଚେନ୍ ପଏଣ୍ଟ ତିଆରି କରାଯାଇଛି। ରାଜ୍ୟରେ ଗୋଟିଏ ଭେକ୍ସିନ ଷ୍ଟୋର ରହିଥିବାବେଳେ ୯ଟି ଆଞ୍ଚଳିକ ସେଣ୍ଟର ଓ ରାଉରକେଲା ଓ ଭୁବନେଶ୍ୱରକୁ ମିଶାଇ ୩୨ଟି ଜଲ୍ଲାସ୍ତରୀୟ ଭ୍ୟାକ୍ସିନ ସେଣ୍ଟର କରାଯାଇଛି।