ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ତାଳିମାରି କୃତଜ୍ଞତା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଝାରସୁଗୁଡା,ଏନ୍ଏନ୍ଏସ୍: କରୋନା ଭୂତାଣୁର ଭୟାବହତା ଭିତରେ ମଧ୍ୟ ଅନବରତ ଭାବରେ କାର୍ଯ୍ୟକରୁଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରବିବାର ସନ୍ଧ୍ୟାରେ ତାଳିମାରି କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସେ କହିଛନ୍ତି ସମଗ୍ର ବିଶ୍ୱକୁ କରୋନା ଭୂତାଣୁ ନିଜର ଭୟବହତାରେ ଥରହର କରୁଛି। ତେଣୁ ସାଧାରଣ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି।

ଏପରି ଘଡିସନ୍ଧି ପରିସ୍ଥିତିରେ ମଧ୍ୟ ଡାକ୍ତର, ନର୍ସ, ପାରା ମେଡିକାଲ ଷ୍ଟାଫ ଓ କର୍ମଚାରୀମାନେ ନିଜ ଜୀବନକୁ ବିପନ୍ନରେ ପକାଇ ଲୋକଙ୍କୁ ଦିନରାତି ସେବା ପ୍ରଦାନ କରୁଛନ୍ତି। ତାଙ୍କର ଏହି ମହତ କାର୍ଯ୍ୟକୁ ସମ୍ମାନ ଜଣାଇବା ସହ ତାଙ୍କର ମନୋବଳକୁ ଦୂଢ କରିବା ପାଇଁ ମୁଁ ଓଡିଶାବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାଳିମାରି ସେମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ଦାସ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ କରୋନାର ମୁକାବିଲା ପାଇଁ ମନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ମାର୍ଚ୍ଚ ସକାଳ ୭ଟାରୁ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା, ଅନଗୁଳ, ସମ୍ବଲପୁର, ଝାରସସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ, ଯାଜପୁର ଟାଉନ ସହରାଞ୍ଚଳରେ ଲକଡାଉନ୍ କରିବା ପାଇଁ ଅନୁରୋଧ କରିଛନ୍ତି। ଏଣୁ କରୋନାର ପ୍ରତିକାର ପାଇଁ ଓଡିଶା ସରକାରଙ୍କ ନିଷ୍ପତ୍ତି ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନଙ୍କୁ ସମସ୍ତ ରାଜ୍ୟବାସୀ ପାଳନ କରନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଅନୁରରୋଧ କରିଛନ୍ତି। ସେହିପରି ଝାରସୁଗୁଡାବାସୀ ଆଜି ଘଣ୍ଟ, ଶଙ୍ଖ, ଥାଳି, ହୁଳହୁଳି ଓ ତାଳି ମାରି କରୋନା ଭୟାବହତା ମଧ୍ୟରେ ଲୋକଙ୍କୁ ସେବା ପ୍ରଦାନ କରୁଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।