ରିଆମାଳ,ଏନ୍ଏନ୍ଏସ୍: ରିଆମାଳ ବ୍ଲକ ଅନ୍ତର୍ଗତ ରିଆମାଳ, ମଳେହିପଡା, ତାରଙ୍ଗ, ଆଡସ, ତାବଡା, ଟୁହିଲାମାଳ ଗ୍ରାମ ପଞ୍ଚାୟତ ଠାରେ ଆଜି ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିଥିଲେ। ରିଆମାଳ କଲ୍ୟାଣ ମଣ୍ଡପ ଠାରେ ରୁରାଲ ହାଉସିଂ ବୋର୍ଡ ଚେୟାରମ୍ୟାନ ମୀନକେତନ ଅମାତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଉପରେ ଅବଗତ କରିବା ସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ଅବଗତ କରି ପ୍ରତ୍ୟେକ ପରିବାର ସ୍ମାର୍ଟ କାର୍ଡ ମାଧ୍ୟମରେ ଚିକିତ୍ସା ବାବଦକୁ ୧୦ ଲକ୍ଷ ଟଙ୍କା ପାଇ ପାରିବେ ବୋଲି କହିଥିଲେ।
ସେହିପରି ରିଆମାଳ ବ୍ଲକ ଅଧ୍ୟକ୍ଷା ରୀତାଞ୍ଜଳି ହାତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ମାର୍ଟ କାର୍ଡ ବାବଦରେ ପରିପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋକପାତ କରିଥିଲେ। ଅନ୍ୟପଟେ ରିଆମାଳ ବିଡିଓ ଦିବ୍ୟଶଙ୍କର ଜୟପୂରିଆ ସ୍ୱାଗତ ଭାଷଣ ସହିତ ସଂଯୋଜନା କରିଥିବା ବେଳେ ସମିତିସଭ୍ୟ ଗାନ୍ଧୀ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥଲେ। ଅନ୍ୟପକ୍ଷରେ ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ମଲ୍ଲିକ, ବ୍ଲକ ଉପାଧ୍ୟକ୍ଷ ବୈକୁଣ୍ଠ ପାଇକରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଦମୟନ୍ତୀ ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅରୁଣୀ ପ୍ରଧାନ, ରିଆମାଳ ସରପଞ୍ଚ ତରଣୀସେନ ପ୍ରଧାନ ଓ ମହିଳା ନେତ୍ରୀ ଅର୍ଚ୍ଚନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ୫ ଶହରୁ ଊର୍ଦ୍ଧ୍ୱ ହିତାଧିକାରୀ ଯୋଗଦେଇଥିଲେ।