ଛାତ୍ରୀଙ୍କୁ ଏମିତି କଲେ, ଚାକିରିରୁ ବିଦା ହେଲେ

ହରଭଙ୍ଗା,ଏନ୍ଏନ୍ଏସ୍: ସାରାଦେଶର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁଦିବସ ପାଳନ ହେଉଥିବାବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଖରସଙ୍କୁଲେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କାର୍ଯ୍ୟକ୍ରମ ହେଉଥିବାବେଳେ ୫୦ରୁ ଅଧିକ ମହିଳା ପହଞ୍ଚି ବିରୋଧ କରିବା ସହ ସ୍କୁଲ୍ରେ ତାଲା ପକାଇ ଦେଇଥିଲେ।

 

ଖାଲି ସେତିକି ନୁହେଁ, ମୁଖ୍ୟ ଫାଟକ ଆଗରେ ମହିଳାଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଧାରଣା ଦେଇଥିଲେ। ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ବହିଷ୍କାର ଓ ଗିରଫ କରାଯିବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡ଼ିବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ। ସମ୍ପ୍ରତି ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ସାଧାରଣରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

ଏ ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ସନାତନ ଗାଆଣଙ୍କ ମତାମତ ନେବାରୁ ସେ ସମ୍ପୃକ୍ତ ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗପତ୍ର ପାଇଥିବା ଏବଂ ପ୍ରଧାନ ଶିକ୍ଷକ ଧନଞ୍ଜୟ ପାତ୍ରଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ସୂଚନା ଦେଇଥିଲେ। ଅଭିଯୋଗ ଅନୁସାରେ ଗଣେଶ ପୂଜା ଅବସରରେ ଖରସଙ୍କୁଲେଇ ସରକାରୀ ଇଚ୍ଚ ପ୍ରାଥମିକ ସ୍କୁଲ୍ ଛାତ୍ରଛାତ୍ରୀ ଭୋଗ ଖାଇ ଘରକୁ ଫେରିବାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର କେତେକ ଛାତ୍ରୀଙ୍କୁ ଡକାଇ ପାଚକ ପାଚିକାଙ୍କୁ ନଡ଼ିଆ ଭୋଗ ଦେବାକୁ କହିଥିଲେ। ଏଥିସହ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କୁ ଟିକେ କାମ ଅଛି କହି ନିରୋଳା ସ୍ଥାନକୁ ଡାକି ଅସଦାଚରଣ କରିଥିଲେ।

ଏଥିରେ ବ୍ୟଥିତ ଛାତ୍ରୀ ଜଣଙ୍କ ତାଙ୍କ ସହପାଠୀଙ୍କୁ ବଡ଼ପାଟିରେ ଡାକିବାରୁ ନୂଆ ଡ୍ରେସ କିଣିଦେବାର ଲୋଭ ଦେଖାଇବା ସହ ତାଙ୍କ ଘର ଫୋନରେ କଥା ହେବୁ ବୋଲି ଛାତ୍ରୀଙ୍କୁ କହିଥିବା ଅଭିଯୋଗ ହୋଇଛି। ଏପରିକି କାହାରିକୁ କିଛି କହିଲେ ଟିସି ଦେଇ ସ୍କୁଲ୍ରୁ ବାହାର କରିଦେବି ଧମକ ଦେଇଥିଲେ।

ତେବେ ଛାତ୍ରୀ ଜଣଙ୍କ ତାଙ୍କ ସହପାଠିନୀଙ୍କ ସମେତ ଘରେ ମାଙ୍କୁ ସବୁ ଜଣାଇଥିଲେ। ସେହି ରାତିରେ ହିଁ ପୀଡ଼ିତାଙ୍କ ପରିବାର ପକ୍ଷରୁ ହରଭଙ୍ଗା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୁଲିସ୍ ଚଢ଼ଉ କରିଥିଲେ ମଧ୍ୟ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଫେରାର ହୋଇଯାଇଥିଲେ। ଏସ୍ଡିପିଓ ଏସ୍ ଟିଗା କହିଛନ୍ତି ଯେ ଖୁବ୍ଶୀଘ୍ର ଅଭିଯୁକ୍ତକୁ ଧରିବାରେ ପୁଲିସ୍ ସଫଳ ହେବ।