ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କରୋନା, ଟୁଇଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ ଗେହଲଟ୍

ଜୟପୁର,ଏଜେନ୍ସି: ଦେଶରେ ଥମିବାର ନାଁ ନେଉନାହିିଁ କରୋନା ସଂକ୍ରମଣ। ଏହି ପରିପ୍ରେକ୍ଷୀରେ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଟୁଇଟ କରି ସୂଚନା ଦେଇଛନ୍ତି।

ଟୁଇଟରେ ଲେଖିଛନ୍ତି ଯେ, ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ ଇନ୍ଦ୍ରଜିତ ମହାନ୍ତି କରୋନା ସଂକ୍ରମିତ ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟକୁ ନେଇ ମୁଁ ଚିନ୍ତିତ। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ଏନେଇ ଆଶୁ ଆରୋଗ୍ୟ କାମନା କରୁଛି। ମାତ୍ର ମୁଖ୍ୟ ବିଚାରପତି ଶ୍ରୀ ମହାନ୍ତି ଏବାବଦରେ ଗଣମାଧ୍ୟମକୁ ସୂଚନା ଦେଇନଥିବା ବେଳେ ଗତକାଲି କୋର୍ଟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

ସୂଚନା ଅନୁସାରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଇନ୍ଦ୍ରଜିତ୍ ମହାନ୍ତି ୧୧ ନଭେମ୍ବର, ୧୯୬୦ରେ କଟକରେ ଜନ୍ମଗ୍ରହଣ କରିଥିଲେ। ରାଜସ୍ଥାନ ପୂର୍ବରୁ ସେ ଓଡ଼ିଶା ଏବଂ ବମ୍ବେ ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।