ହରମନପ୍ରୀତ୍ କୌର୍ କରୋନା ପଜିଟିଭ୍

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ତଥା ଟି-୨୦ ଅଧିନାୟିକା ହରମନପ୍ରୀତ୍ କୌର୍ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଦେଖା ଦେଇଥିବା ନେଇ ହରମନ୍ ସ୍ପଷ୍ଟ କରିଛନ୍ତି। ହରମନ୍ ଟ୍ୱିଟ୍ କରି କରୋନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବିଗତ ୭ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ପରୀକ୍ଷଣ କରାଇନେବା ପାଇଁ ହରମନ୍ ପରାମର୍ଶ ଦେଇଛନ୍ତି। ବିଗତ ୪ ଦିନ ଧରି ସାମାନ୍ୟ ଜ୍ୱର ରହିଥିବା ବେଳେ ହରମନ୍ଙ୍କ ରିପୋଟର୍ଣ ପଜିଟିଭ୍ ଆସିଥିଲା। ସଦ୍ୟ ସମାପିତ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍ରେ ନିୟମିତ କୋଭିଡ୍ ଟେଷ୍ଟ ହେଉଥିବାରୁ ସେ ପରବର୍ତ୍ତୀ ସମୟରେ କରୋନା ଆକ୍ରାନ୍ତ ହୋଇଥିବା ଅନୁମାନ କରୁଛନ୍ତି ବୋଲି ହରମନ କହିଛନ୍ତି। ଦୀର୍ଘ ୧୨ ମାସ ପରେ ପଡିଆକୁ ଫେରିଥିବା ହରମନ୍ ଦିନିକିଆ ସିରିଜରେ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ତିମ ଦିନିକିଆରେ ବ୍ୟାଟିଂ କରୁଥିବା ସମୟରେ ଜଂଘରେ ଆଘାତ କାରଣରୁ ହରମନ୍ ଟି-୨୦ ସିରିଜରୁ ବାଦ ପଡିଥିଲେ।