ଭୀଲୱାରା ପରେ ହନୁମାନଗଡ଼ରେ ଉତ୍ତେଜନା, ଭିଏଚ୍‌ପି ନେତାଙ୍କ ଉପରକୁ ପଥରମାଡ଼ ଅଭିଯୋଗ

ଜୟପୁର,ଏନ୍ଏନ୍ଏସ୍: ରାଜସ୍ଥାନରେ ପୁଣି ସାଂପ୍ରଦାୟିକ ଉତ୍ତେଜନା ହୋଇଥିବା ଦେଖାଯାଇଛି। ଭୀଲୱାରା ପରେ ହନୁମାନଗଢ଼ରେ ଉତ୍ତେଜନା ରହିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ହନୁମାନଗଡ଼ରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ନେତାଙ୍କ ଉପରେ ଆକ୍ରମଣ ହୋଇଛି। ଏହା ପରେ ଉତ୍ତେଜନା ବଢ଼ିଛି। ଆକ୍ରମଣକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଗୁରୁତର ଭିଏଚପି ନେତାଙ୍କୁ ବିକାନେର ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି।

ହନୁମାନଗଡ଼ ଜିଲ୍ଲାର ନୋହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏଠାରେ ବିଶ୍ୱ ହିନ୍ଦୁ ପରିଷଦର ନେତା ସତବୀର ସହାରଣଙ୍କୁ କିଛି ଯୁବକ ଆକ୍ରମଣ କରିଛନ୍ତି। ଗୁରୁତର ସତବୀରଙ୍କୁ ନୋହରରୁ ହନୁମାନଗଡ଼ ରେଫର କରାଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିକାନେର ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣା ପରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହି ମାମଲା ନେଇ ଏସ୍‌ପି ଏକ ଭିଡିଓ ଜାରି କରିଛନ୍ତି। ଜିଲ୍ଲା କଲେକ୍ଟକର କହିଛନ୍ତି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।