ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଭିମସାହିରେ ଆଜି ଜଣେ ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣଙ୍କ ତନୁଶ୍ରୀ ନାୟକ। ସୂଚନା ଅନୁସାରେ ପାପଡାହାଣ୍ଡି ବ୍ଲକ ଘୁଷୁରାବେଢା ଗ୍ରାମର ତନୁଶ୍ରୀ ନାୟକ ଖୋଲିଗୁଡା ଗ୍ରାମର ଆଲବର୍ଟ ସେକ୍ସପିୟର ବେନିଆଙ୍କୁ ଗତ ଏକ ବର୍ଷ ତଳେ ପ୍ରେମବିବାହ କରିଥିଲେ। ବିବାହ ପରେ ନିଜ ବୃତ୍ତି ଆଗେଇ ନେବା ପାଇଁ ଆଲବର୍ଟ ଖଲିଗୁଡା ସ୍ଥିତ ନିଜ ପୈତୃକ ବାସଭବନ ଛାଡି ପାପଡାହାଣ୍ଡି ସହର ଭିମାସାହିରେ ଏକ ଭଡାଘରେ ରହୁଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ଆଲବର୍ଟ ତନୁଶ୍ରୀଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ତାଙ୍କ ଝିଅ ତନୁଶ୍ରୀଙ୍କୁ ଜ୍ୱାଇଁ ଆଲବର୍ଟ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛନ୍ତି।
ପରିବାର ଲୋକଙ୍କ କହିବା ଅନୁଯାୟୀ ଗତ ଏକ ବର୍ଷ ପୂର୍ବେ ଆଲବର୍ଟ ଓ ତନୁଶ୍ରୀଙ୍କ ପ୍ରେମ ବିବାହ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ କଳି ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଝିଅ ତନୁଶ୍ରୀ ପ୍ରାୟ ୮ ମାସର ଗର୍ଭବତୀ ଥିଲେ। ତେବେ ଗତ କିଛି ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା ଓ ତନୁଶ୍ରୀଙ୍କ ମା ଉଭୟଙ୍କ ମଧ୍ୟରେ ବୁଝାସୁଝା କରୁଥିଲେ। ଏବଂ ଝିଅ ଗର୍ଭବତୀ ଥିବାରୁ ମଆ ସାଙ୍ଗରେ ନିଜ ଘରକୁ ନେବାକୁ କହିଥିଲେ ହେଁ ଝିଅ ଯିବାକୁ ବାରଣ କରିଥିଲେ। ଛୁଆ ଜନ୍ମ ହେବାପରେ ଯିବା ପାଇଁ କହିଥିଲେ।
ଗତକାଲି ସନ୍ଧ୍ୟାରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିବା ନେଇ ଆଲବର୍ଟ ଝିଅର ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ବିଳମ୍ବିତ ରାତିରେ ତାଙ୍କ ଅନୁପସ୍ଥିତିରେ ତନୁଶ୍ରୀ ଆତ୍ମହତ୍ୟା କରିଥିବା ନେଇ ଆଲବର୍ଟ ତନୁଶ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପରିବାର ଲୋକେ ତାଙ୍କ ଝିଅ ଆତ୍ମହତ୍ୟା କରିନାହିିଁ, ବରଂ ଜ୍ୱାଇଁ ଆଲବର୍ଟ ହତ୍ୟା କରିଥିବା ନେଇ ପାପଡାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇ ପାପଡାହାଣ୍ଡି ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ ଶବକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ୱାମୀ ଆଲବର୍ଟ ବର୍ତ୍ତମାନ ଫେରାର ଥିବା ଜଣାପଡ଼ିଛି।