ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ

କଟକ,ଏନ୍ଏନ୍ଏସ୍: ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଫାଶି ଦଣ୍ଡାଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ବର୍ଷ ଏପ୍ରିଲ ୨୧ ତାରିଖରେ ସାଲେପୁର ନିକଟବର୍ତ୍ତୀ ଏକ ଗାଁ’ର ୬ବର୍ଷର ଝିଅ ତା ଭାଇ ସହ ଖେଳୁଥିବାବେଳେ ମୁସ୍ତାକ ଚକୋଲେଟ ଦେବାକୁ କହି ପାଖକୁ ଡାକିଥିଲେ। ତା’କୁ ଟେକି ନେଇ ନିକଟସ୍ଥ ସ୍କୁଲ ବାରଣ୍ଡାରେ ଦୁଷ୍କର୍ମ କରିଥିଲା। ଝିଅଟି ଚିତ୍କାର କରିବାରୁ ତା’ ମୁଣ୍ଡକୁ ପିଟି ଦେଇଥିଲା ମୁସ୍ତାକ।

ଗୁରୁତର ଅବସ୍ଥାରେ ନାବାଳିକାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଘଟିଥିଲା। ସେହିଦିନ ରାତିରେ ଅଭିଯୁକ୍ତ ମୁସ୍ତାକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲା ରୁଜୁ ହେବାର ୧୯ଦିନ ମଧ୍ୟରେ ପୁଲିସ ଅଦାଲତରେ ଚାର୍ଜସିଟ ଦାଖଲ କରିଥିଲା। ଅଦାଲତ ଏହାର ବିଚାର କରି ୪୭ଜଣ ସାକ୍ଷୀଙ୍କ ବୟାନ ଭିତ୍ତିରେ ଗତକାଲି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଆଜି ସ୍ପେଶାଲ ପୋକ୍ସୋ କୋର୍ଟ ମୁସ୍ତାକକୁ ଫାଶି ଦଣ୍ଡାଦେଶ ଦେଇଛନ୍ତି।

ପ୍ରକାଶ ଥାଉକି ଗତ ୨ମାସ ଭିତରେ ଏହା ନାବାଳିକା ଦୁଷ୍କର୍ମକାରୀଙ୍କୁ ଓଡ଼ିଶାର ୪ର୍ଥ ଫାଶି ଦଣ୍ଡାଦେଶ। ପୂର୍ବରୁମୟୂରଭଞ୍ଜ, ଜଗତସିଂହପୁର ଓ ଅନୁଗୁଳରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।