ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ମାମଲାରେ ୪ ଜଣ ଦୋଷୀଙ୍କୁ ଏକସାଙ୍ଗରେ ଫାଶୀ ଦିଆଯିବ। ଭାରତ ଇତିହାସରେ ଏହା ପ୍ରଥମ ଘଟଣା ହେବ। ତିହାର ଜେଲରେ ଏ ନେଇ ସମସ୍ତ ପ୍ରସ୍ତୁତି ସାରିଥିବା ଜଣାପଡ଼ିଛି। ତିହାର ଜେଲ୍ କର୍ତ୍ତୃପକ୍ଷ ୪ ଦୋଷୀଙ୍କୁ ଏକାବେଳେ ଫାଶୀ ଦେବାପାଇଁ ଏକ ନୂଆ ଫାଶୀଖୁଣ୍ଟ ପ୍ରସ୍ତୁତ କରିଛନ୍ତି। ଦେଶର ପ୍ରଥମ ଜେଲ୍ ଭାବେ ତିହାରରେ ଏକାବେଳେ ୪ ଜଣଙ୍କୁ ଫାଶୀ ଦିଆଯିବ। ଜେଲ୍ ସୂତ୍ରରୁ ଜଣାପଡ଼ିଛି ଯେ ଏଥିପାଇଁ ସ୍ୱତନ୍ତ୍ର ଫାଶୀଖୁଣ୍ଟ ପ୍ରସ୍ତୁତି ସହ ଏକ ସୁଡ଼ଙ୍ଗ ତିଆରି କାର୍ୟ୍ୟ ମଧ୍ୟ ଚାଲିଛି।
ଏହି ସୁଡ଼ଙ୍ଗ ଦ୍ୱାରା ଫାଶୀ ପରେ ସମସ୍ତ ଦୋଷୀଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ। ତେବେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଦେବା ପୂର୍ବରୁ ଫିଲ୍ମ ଷ୍ଟାଇଲ୍ରେ ସେମାନଙ୍କ ଶେଷ ଇଚ୍ଛା ସମ୍ପର୍କରେ ପଚରା ଯିବନାହିଁ। ପୂର୍ବତନ ତିହାର ଜେଲ୍ ଡିଜି ଅଜୟ କଶ୍ୟପ କହିଛନ୍ତି, ଦୋଷୀଙ୍କ ଶେଷ ଇଚ୍ଛା ପଚାରିବାର ପରମ୍ପରା କେବଳ ଫିଲ୍ମରେ ରହିଛି। ଏହାର କୌଣସି ଆଇନଗତ ଦିଗ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଫାଶୀ ପୂର୍ବରୁ ସମସ୍ତ ୪ ଦୋଷୀ ସେମାନଙ୍କ ଶେଷ ଇଚ୍ଛା ଲେଖି ପାରିବେ। ଡେଥ୍ ୱାରେଣ୍ଟ୍ ଜାରି ହେବାପରେ ସମସ୍ତ ଦୋଷୀଙ୍କୁ ଆଉ କାମ କରିବାକୁ ଦିଆଯିବ ନାହିଁ।
ସେମାନଙ୍କ ଉପରେ ୨୪ ଘଣ୍ଟା ନଜର ରଖାଯିବ। ଦିନକୁ ୨ ଥର ଦୋଷୀମାନଙ୍କ ସ୍ୱାସ୍ଥ୍ୟ ଚେକଅପ୍ କରାଯିବ। କୋର୍ଟଙ୍କ ଦ୍ୱାରା ଜାରି ହୋଇଥିବା ଡେଥ୍ ୱାରେଣ୍ଟକୁ ଲାଲ୍ ଲଫାପାରେ ଜେଲ କୁ ପଠାଯିବ। ଦୋଷୀଙ୍କ ପରିବାର ସଦସ୍ୟଙ୍କୁ ମୃତ୍ୟୁ ଦଣ୍ଡ ସଂକ୍ରାନ୍ତରେ ଜଣାଯିବ। ଫାଶୀଦିନ ସମସ୍ତ ଦୋଷୀ ସକାଳୁ ସ୍ନାନ ପରେ ସକାଳ ଜଳଖିଆ କରିବେ। ଏହାପରେ ସେମାନଙ୍କୁ କଳା ପୋଷାକ ପିନ୍ଧାଇ ଫାଶୀ ଖୁଣ୍ଟ ନିକଟକୁ ନିଆଯିବ।